Breaking News
ରାଜ୍ୟ

ପୂର୍ତ୍ତ ବିଭାଗ ଭେଟିଦେବ ୧୩୮୨୩କୋଟିର ପ୍ରକଳ୍ପ: ୪୯ଟି ପ୍ରକଳ୍ପର ଲୋକାର୍ପଣ, ୪୭ଟିର ଶିଳାନ୍ୟାସ ହେବ

ପୂର୍ତ୍ତ ବିଭାଗ ଭେଟିଦେବ ୧୩୮୨୩କୋଟିର ପ୍ରକଳ୍ପ: ୪୯ଟି ପ୍ରକଳ୍ପର ଲୋକାର୍ପଣ, ୪୭ଟିର ଶିଳାନ୍ୟାସ ହେବ

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ବିଭାଗର ବହୁ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ହେବ। ଏଥିରେ ପୂର୍ତ୍ତ ବିଭାଗ ୧୩୮୨୩କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବ। ଆଜି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ନିକଟରେ ୧୭୨୧କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୪୯ଟି ପ୍ରକଳ୍ପ ଶେଷ ହୋଇଛି। ଏହାକୁ ଖୁବ୍‌ ଶୀଘ୍ର ଲୋକାର୍ପଣ କରାଯିବ। ଏହାସହ ୧୨୧୦୨କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୪୭ଟି ପ୍ରକଳ୍ପର ଶିଳାନ୍ୟାସ ହେବ। ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ଏହି ଅବସରରେ ଏହି ସବୁ ପ୍ରକଳ୍ପ ଭେଟି ଦିଆଯିବ। ସେହିପରି ଶ୍ରୀ ହରିଚନ୍ଦନ ଆଜି ଲୋକସେବା ଭବନରେ ୫୦କୋଟିରୁ ଅଧିକ ବ୍ୟୟ ଅଟକଳ ଥିବା ୪୮ଟି ଜାତୀୟ ରାଜପଥର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଏଥିରେ ୩୦ଟି ଚାଲୁ ରହିଥିବା ପ୍ରକଳ୍ପ, ୧୪ଟି କାର୍ଯ୍ୟାଦେଶ ହେବାକୁ ଥିବା ପ୍ରକଳ୍ପ ଏବଂ ୪ଟି ଟେଣ୍ଡର ପ୍ରକ୍ରିୟାରେ ଥିବା ପ୍ରକଳ୍ପ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭଞ୍ଜନଗରରୁ ଆସ୍କା ରୋଡ୍‌, ରିଆମାଳ ବାଇପାସ୍‌ ରୋଡ୍‌, ବ୍ରହ୍ମପୁର ବାଇପାସ୍‌, ଖରିଆର ରୋଡ୍‌ ଆରଓବି, ପୁରୀ-ମାଟିଆପଡ଼ା ଆର୍‌ଓବି, ନୟାଗଡ଼ ବାଇପାସ୍‌, କେସିଙ୍ଗା ଆର୍‌ଓବି, ମାଲକାନଗିରି-ମୋଟୁ ରାସ୍ତାରେ ଥିବା ହାଇଲେବୁଲ୍‌ ବ୍ରିଜ, କନ୍ଦରପୁର-ବାଲିକୁଦା ରାସ୍ତା, କୋଟପାଡ଼ ବାଇପାସ ରାସ୍ତା, କୁଆଖିଆ-ମଙ୍ଗଳପୁର ରାସ୍ତା, ଟିଟିଲାଗଡ଼ ବାଇପାସ୍‌ ରାସ୍ତା, ବୈତରଣୀ ନଦୀରେ ହାଇଲେବୁଲ୍‌ ବ୍ରିଜ, ନବରଙ୍ଗପୁର ବାଇପାସ ଆଦି ପ୍ରକଳ୍ପ ରହିଥିଲା। ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା, ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ସଚିବ ଏଲ୍‌.କେ. ପାଢ଼ୀ, ଅର୍ଥ ପରାମର୍ଶଦାତା ରତିକାନ୍ତ ମହାପାତ୍ର, ଜାତୀୟ ରାଜପଥ ମୁଖ୍ୟଯନ୍ତ୍ରୀ-୧ ନାରାୟଣ ପଟେଲ, ମୁଖ୍ୟଯନ୍ତ୍ରୀ-୨ ଦୀପକ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Related Post