Breaking News
ବିଶେଷ

ବେଲୁନ ବିକାଳିରୁ ଓଏଏସ୍‌ ଅଧିକାରୀ

ବେଲୁନ ବିକାଳିରୁ ଓଏଏସ୍‌ ଅଧିକାରୀ

ରାଉର‌କେଲା: ବର୍ଷସାରା ଆର୍ଥିକ ଅନଟନ ଲାଗିରହିଥିଲା। ବାପା ଗାଁ ଗାଁ ବୁଲି ବେଲୁନ୍ ବିକୁଥିଲେ। ସେଥିରେ ଯେତିକି ଆୟ ହେଉଥିଲା, ସେଥିରେ ୫ ପରିବାରର ସଦସ୍ୟ କଷ୍ଟେମଷ୍ଟେ ଚଳୁଥିଲେ। ଆୟକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପୁଅ ମନୋହର ମଧ୍ୟ ବେଲୁନ ବିକ୍ରିରେ ଲାଗିପଡ଼ିଥିଲେ। ମସେ କି ଦୁଇ ମାସ ନୁହେଁ, ବରଂ ଯୁକ୍ତଦୁଇ ପାସ୍‌ କରିବା ପର୍ଯ୍ୟନ୍ତ ବେଲୁନ ବିକିଥିଲେ। ପରବର୍ତ୍ତୀ ସମୟରେ ଟ୍ୟୁସନ ପଢାଇ ଶିକ୍ଷକ ତାଲିମ ନେବା ସହ ସିଆଇଏସ୍‌ଏଫ୍‌, ଓଡ଼ିଶା ପୁଲିସରେ କାର୍ଯ୍ୟ କରିଥିଲେ। ଏବେ ଓଡ଼ିଶା ପ୍ରଶାସନିକ ସେବାରେ ୧୩୧ତମ ରୢାଙ୍କ୍‌ ରଖିଛନ୍ତି। ସେ ହେଉଛନ୍ତି ମନୋହର ପ୍ରଧାନ।ନିଜର ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠାପର ପରିଶ୍ରମ ବଳରେ ବହୁ ବାଧାବିଘ୍ନକୁ ପରାହତକରି ଉତ୍କର୍ଷତା ହାସଲକରି ଏବେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ବଡ଼ଗାଁ ବ୍ଳକ ଅନ୍ତର୍ଗତ ଜରଙ୍ଗଲୋଇ ପଞ୍ଚାୟତର ବାଗବୁଡ଼ ଗାଁରେ ମନୋହରଙ୍କ ଜନ୍ମ। ବାପା ମଙ୍ଗଳ ପ୍ରଧାନ ଜଣେ ବେଲୁନ ବିକାଳି ଥିବାବେଳେ ମା’ ଗୁର ପ୍ରଧାନ ଜଣେ ଗୃହିଣୀ। ପତ୍ନୀ ସୀମାମୟୀ ଦଣ୍ଡସେନା ଜଣେ ଶିକ୍ଷୟିତ୍ରୀ ଓ ଦୁଇ ପୁଅ-ଝିଅ କନିଷ୍କ (୫ ବର୍ଷ) ଓ ଜୟଶ୍ରୀ (ଦେଢ ବର୍ଷ)। ମନୋହର ହେଉଛନ୍ତି ତିନି ଭାଇ-ଭଉଣୀଙ୍କ ଭିତରେ ସବୁଠାରୁ ବଡ଼, ଏଣୁ ତାଙ୍କ ମୁଣ୍ଡରରେ ପରିବାର ଭରଣରପୋଷଣର ବୋଝ ପଡ଼ିଥିଲା। ଫଳରେ ବାପାଙ୍କ ସହ ମିଶି ବେଲୁନ ବିକ୍ରି କରିବାରେ ପିଲାଟି ଦିନରୁ ଲାଗିପଡ଼ିଥିଲେ। ସେ ଗାଁ ସ୍କୁଲରେ ସପ୍ତମ ଶ୍ରେଣୀଯାଏ ପଢିବାପରେ ଦେଓକରଣପୁର ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ ଓ ବଡ଼ଗାଁକଚ୍ଛାର ପଞ୍ଚାୟତ କଲେଜରୁ ୨୦୦୬ ମସିହାରେ ଯୁକ୍ତଦୁଇ ଶିକ୍ଷା ‌ଶେଷ କରିଥିଲେ। ସେତେବେଳକୁ ଘରର ଆର୍ଥିକ ସମସ୍ୟା ଉତ୍କଟ ହୋଇସାରିଥିଲା। ଏଣୁ ପରିବାର ଭରଣପୋଷଣରେ ସହାୟକ ହେବାକୁ ଝାରସୁଗୁଡ଼ାସ୍ଥ ଭୂଷଣ ଇସ୍ପାତ କାରଖାନାରେ ଠିକା ଶ୍ରମିକଭାବେ କାର୍ଯ୍ୟରତ ଥିଲେ। ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଜଣେ ମିସ୍ତ୍ରୀଙ୍କ ଅଧିନରେ କାମ କରିଥିଲେ। ପରେ ୨୦୦୭ରୁ ୨୦୦୯ ଯାଏ ଟିଟିଲାଗଡ଼ ସିଟି ସ୍କୁଲରୁ ଶିକ୍ଷକ ତାଲିମ ନେଇଥିଲେ। ପାଠପଢିବାରେ ଘୋର୍‌ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାରୁ ଟ୍ୟୁସନ ପଢାଇ ନିଜର ଖର୍ଚ୍ଚ ସମେତ ପରିବାରର ଖର୍ଚ୍ଚ ବହନ କରିଥିଲେ।

Related Post