Breaking News
ରାଜନୀତି

ସିଟୁର ସର୍ବଭାରତୀୟ ଉପ ସଭାପତି ତଥା ରାଜ୍ୟର ଟାଣୁଆ ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କ ପରଲୋକ

ସିଟୁର ସର୍ବଭାରତୀୟ ଉପ ସଭାପତି ତଥା ରାଜ୍ୟର ଟାଣୁଆ ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କ ପରଲୋକ

ରାଉରକେଲା : ସିଟୁର ସର୍ବଭାରତୀୟ ଉପ ସଭାପତି ତଥା ରାଜ୍ୟର ଟାଣୁଆ ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କ ପରଲୋକ ହୋଇଯାଇଛି | ଆଜି ଭୋର ୩.୧୫ ମିନିଟରେ ଭୁବନେଶ୍ୱର କିମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି | ମଧୁମେହ ଜଟିଳତା ସହିତ ଦୀର୍ଘ ଦିନ ଧରି ଅସୁସ୍ଥତା ଯୋଗୁ ଗତ ୧୫ ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ l ଗତକାଲି ରାତି ପ୍ରାୟ ଦୁଇଟାବେଳେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରକୁ ନେବାକୁ ପଡିଥିଲା l ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା l ତାଙ୍କ ମରଶରୀରକୁ ହସ୍ପିଟାଲକୁ ଦାନ କରାଯିବ ବୋଲି ଜଣାପଡିଛି l ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି l  ସେ ଭାରତୀୟ ଟ୍ରେଡ୍ ୟୁନିଅନ୍ କେନ୍ଦ୍ର (CITU), ଓଡ଼ିଶା ରାଜ୍ୟ କମିଟିର ରାଜ୍ୟ ସାଧାରଣ ସମ୍ପାଦକ  ଥିଲେ l  ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ଓଡ଼ିଶା ରାଜ୍ୟ କମିଟିର ସଦସ୍ୟ ମଧ୍ୟ ଥିଲେ। ଶ୍ରମିକ ଅଧିକାର ଏବଂ ଶ୍ରମିକବର୍ଗର କଲ୍ୟାଣ ପାଇଁ ସର୍ବଦା ଆନ୍ଦୋଳନ ଜାରି ରଖିଥିଲେ l ବହୁ ଦଶନ୍ଧି ଧରି ସମଗ୍ର ଓଡ଼ିଶାରେ ଟ୍ରେଡ୍ ୟୁନିଅନ୍ ଆନ୍ଦୋଳନକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ସରଳତା, ସାଂଗଠନିକ ଦକ୍ଷତା, ଶ୍ରମିକ ଏବଂ ଅବହେଳିତ ସମ୍ପ୍ରଦାୟ ପ୍ରତି ଉତ୍ସର୍ଗୀକୃତତା ପାଇଁ ସେ ଶ୍ରମିକ, ରାଜନୈତିକ ନେତା ଏବଂ ସାମାଜିକ କର୍ମୀଙ୍କ ମଧ୍ୟରେ ବହୁଳ ଭାବରେ ଲୋକପ୍ରିୟ ହୋଇଥିଲେ। ବିଭିନ୍ନ ରାଜନୈତିକ ଦଳ, ଟ୍ରେଡ୍ ୟୁନିଅନ୍ ଏବଂ ସାମାଜିକ ସଂଗଠନର ନେତାମାନେ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି l

Related Post