Breaking News
ରାଜନୀତି

ପଶ୍ଚିମବଙ୍ଗକୁ ବିପଜ୍ଜନକ ଭାବେ ବୁହା ହେଉଛନ୍ତି ଭୋଟର, ପାରାଦୀପରୁ ବସ୍ ଉପରେ ଯାତ୍ରା କରୁଛନ୍ତି ଶ୍ରମିକ ଓ ମତ୍ସ୍ୟଜୀବୀ

ପଶ୍ଚିମବଙ୍ଗକୁ ବିପଜ୍ଜନକ ଭାବେ ବୁହା ହେଉଛନ୍ତି ଭୋଟର, ପାରାଦୀପରୁ ବସ୍ ଉପରେ ଯାତ୍ରା କରୁଛନ୍ତି ଶ୍ରମିକ ଓ ମତ୍ସ୍ୟଜୀବୀ

ଜଗତସିଂହପୁର: ପଶ୍ଚିମବଙ୍ଗର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୯ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପାରାଦୀପରେ ରହୁଥିବା ମତ୍ସ୍ୟଜୀବ ଓ ବିଭିନ୍ନ ଅନୁଷ୍ଠାନରେ କାମ କରୁଥିବା ଶ୍ରମିକମାନେ ଏବେ ଟାର୍ଗେଟରେ ରହିଛନ୍ତି। ପାରାଦୀପରେ କାମ କରୁଥିବା ପଶ୍ଚିମବଙ୍ଗ ଭୋଟରମାନଙ୍କୁ ଏବେ ବସରେ ବୁହା ଚାଲିଛି। ବିଶେଷ କରି ନଦିୟା, ଦକ୍ଷିଣ ଚବିଶପ୍ରଗଣା, ଉତ୍ତର ଚବିଶପ୍ରଗଣା, ପୂର୍ବ ବର୍ଦ୍ଧମାନ ଜିଲ୍ଲାକୁ ଶ୍ରମିକମାନେ ବସ୍ ଯୋଗେ ଯାଉଥିବା ଜଣାପଡ଼ିଛି। ଶହ ଶହ ସଂଖ୍ୟାରେ ଶ୍ରମିକମାନଙ୍କୁ ପାରାଦୀପରୁ ନିଆଯାଉ ଥିବାରୁ ବସ୍ସିଟ୍ ଅଭାବ ରହୁଛି। ତେଣୁ ବିପଜ୍ଜନକ ଭାବେ ବସ୍ ଉପରେ ଚଢ଼ି ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ରହିଛି। ଏଥର ପଶ୍ଚିମବଙ୍ଗ ନିର୍ବାଚନ ହାଇଭୋଲଟେଜ ହୋଇଥିବା ବେଳେ ଜିତିବାକୁ ଉଭୟ ବିଜେପି ଓ ଟିଏମସି ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ପ୍ରଥମ ନିର୍ବାଚନରେ ୯୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ୯୦ ପ୍ରତିଶତରୁ ଅଧିକ ମତଦାନ କରିବାକୁ ପ୍ରୟାସ ଚାଲିଛି। ତେଣୁ ଦେଶର ଯେଉଁ ରାଜ୍ୟରେ ଓ ଯେଉଁ ସ୍ଥାନରେ ପଶ୍ଚିମବଙ୍ଗର ଲୋକ କାମ କରୁଛନ୍ତି କିମ୍ବା ରହୁଛନ୍ତି ସେମାନଙ୍କୁ ଭୋଟ ଦେବା ପାଇଁ ନିଆଯାଉଛି। ପାରାଦୀପରୁ ମଧ୍ୟ ଏଭଳି ଚିତ୍ର ଦେଖିବାକୁ ମିଳିଛି। ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରୁ କଳକାରଖାନା, ନିର୍ମାଣକାରୀ ସଂସ୍ଥାରେ କାମ କରୁଥିବା ବଙ୍ଗୀୟ ଶ୍ରମିକ, ମତ୍ସ୍ୟଜୀବୀମାନେ ବସ୍ ଯୋଗେ ଯାଉଥିବା ଦେଖିବାକୁ ମିଳିଛି। କୋଲକାତା, ଦୀଘା, କାନ୍ଥି ଆଦି ଲାଇନ ବସରେ ସିଟ୍ ଭର୍ତ୍ତି ହୋଇ ଯାଉଥିବାରୁ ବସ୍ ଉପରେ ଅତି ବିପଜ୍ଜନକ ଭାବେ ଯାତ୍ରା କରୁଛନ୍ତି। କେତେକ ରାଜନୈତିକ ଦଳର ନେତାମାନେ ମଧ୍ୟ କୋଲକାତରୁ ବସ୍ ପଠାଇ ଶ୍ରମିକମାନଙ୍କୁ ନେଉଥିବା ଜଣାପଡ଼ିଛି। ସେହିପରି ଏରସମା ଅଞ୍ଚଳରୁ ମଧ୍ୟ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀମାନେ ଭୋଟ ଦେବାକୁ ପଶ୍ଚିମବଙ୍ଗ ଯାଉଥିବା ଜଣାପଡ଼ିଛି।

Related Post