Breaking News
ଖେଳ

ବିବାଦରେ ପାକିସ୍ତାନ ଖେଳାଳି: ମହିଳା ହୋଟେଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରି ଜରିମାନା ଗଣିଲେ

ବିବାଦରେ ପାକିସ୍ତାନ ଖେଳାଳି: ମହିଳା ହୋଟେଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରି ଜରିମାନା ଗଣିଲେ

କଲମ୍ବୋ: ଟେଣ୍ଟି-୨୦ ବିଶ୍ବକପ୍‌ରୁ ବିଦାୟ ନେବା ପରେ ପାକିସ୍ତାନ କ୍ରିକେଟ୍‌ ଦଳକୁ ବିବାଦ ପିଛା ଛାଡ଼ୁନି। ବିଶ୍ବକପ୍‌ରେ ଖରାପ କରି ସେମିଫାଇନାଲ୍‌ ଯାଇ ନପାରିବାରୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ନିଜ ଦଳର ସବୁ ଖେଳାଳିଙ୍କୁ ୧୮,୦୦୦ ଡଲାର ବା ପାଖାପାଖି ୧୭ ଲକ୍ଷ ଭାରତୀୟ ଟଙ୍କାରେ ଦଣ୍ଡିତ କରିଥିଲା। ଏବେ ଏହି ଦଳର ଜଣେ ଖେଳାଳି ନିଜର କୁକର୍ମ ପାଇଁ ଦଣ୍ଡିତ ହୋଇଛନ୍ତି। କାଣ୍ଡିରେ ଜଣେ ମହିଳା ହୋଟେଲ କର୍ମଚାରୀଙ୍କୁ ଏହି ଖେଳାଳି ଜଣଙ୍କ ଦୁର୍ବ୍ୟବହାର କରି ଜରିମାନା ଗଣି ମାମଲାରୁ ମୁକୁଳିଛନ୍ତି। ଏହି ଘଟଣାଟି ପାକିସ୍ତାନର ଶେଷ ସୁପର୍‌-୮ ମ୍ୟାଚ୍‌ ପରେ ହୋଇଥିବା ଅନୁମାନ କରଯାଉଛି। କାରଣ ସେହିଦିନଠୁ ପାକିସ୍ତାନ କ୍ରିକେଟ୍‌ ଦଳରେ ଏହି ଘଟଣାକୁ ନେଇ ନୀରବ ଆଲୋଚନା ଚାଲିଛି। ସ୍ଥାନୀୟ ଏକ ଗଣମାଧ୍ୟମ ଅନୁଯାୟୀ ଏହି ଘଟଣାଟି ପାକିସ୍ତାନ ଦଳ ରହୁଥିବା ଗୋଲ୍‌ଡେନ୍ କ୍ରାଉନ୍ ହୋଟେଲରେ ହୋଇଥିଲା। ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ଶେଷ ସୁପର୍‌-୮ ମ୍ୟାଚ୍‌ ପୂର୍ବରୁ ଦଳର ଜଣେ ଖେଳାଳି ହୋଟେଲର ଜଣେ ମହିଳା ହାଉସକିପିଂ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଏହି ସମୟରେ ମହିଳା ଜଣ ଚିତ୍କାର କରି ସାହାଯ୍ୟ ମାଗିଥିଲେ। ଚିତ୍କାର ଶୁଣି ଅନ୍ୟ ହୋଟେଲ୍‌ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ଏବଂ ପାକିସ୍ତାନ ଦଳର ପ୍ରବନ୍ଧକ ନାଭେଦ ଚିମାଙ୍କୁ ଏହି ବିଷୟରେ ଜଣାଇଥିଲେ। ଏହାକୁ ନେଇ ହୋଟେଲ୍‌ର ବରିଷ୍ଠ ଅଧିକାରୀମାନେ ଖେଳାଳିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଥିଲେ। ହେଲେ ସମ୍ପୃକ୍ତ ଖେଳାଳିଙ୍କ ପକ୍ଷରୁ ଚିମା କ୍ଷମା ମାଗିଲେ। ଏଥିସହ ଏହି କୁକର୍ମ ପାଇଁ ଖେଳାଳିଙ୍କୁ ଜରିମାନା ଲଗାଇ ମାମଲାକୁ ସେହିଠାରେ ସମାଧାନ କରି ଦେଇଥିଲେ। ତେବେ ଏହି କୁକର୍ମ କରିଥିବା ଖେଳାଳିଙ୍କ ପରିଚୟ ପ୍ରକାଶ କରାଯାଇ ନଥିଲା। ହେଲେ ଏହି ମାମଲା ସେଠାରେ ବନ୍ଦ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଖେଳାଳିଙ୍କ ଉପରେ ଆଗକୁ ଅଧିକ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି। 

Related Post