Breaking News
ଅପରାଧ

କୋଟିପତି କିରାଣିଙ୍କ ଘରେ ପଶିଲା ଭିଜିଲାନ୍‌ସ

କୋଟିପତି କିରାଣିଙ୍କ ଘରେ ପଶିଲା ଭିଜିଲାନ୍‌ସ

ଅନୁଗୁଳ: ଅନୁଗୁଳଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କ ଘର ଦେଖି ତାଜୁବ ହୋଇଛନ୍ତି ଭିଜିଲାନ୍‌ସ ଅଧିକାରୀ। ମାତ୍ର ୮ ହଜାର ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିବା ସୁବ୍ରତଙ୍କର ଅନୁଗୁଳ ସହରରେ ରହିଛି ବିଳାସମୟ କୋଠା। ଯେଉଁଥିରେ ଖଞ୍ଜାଯାଇଛି ଅତ୍ୟାଧୁନିକ ସାମଗ୍ରୀ। ତାଙ୍କର ୫ଟି ଠିକଣାରେ ଆଜି ଭିଜିଲାନ୍‌ସ ଚଢ଼ଉ କରିଥିବା ବେଳେ ଦାମୀ କାର୍‌, ସୁନାଗହଣା, ଦାମୀ ଘଣ୍ଟା ତଥା ଅନ୍ୟାନ୍ୟ ସୂତ୍ରରୁ ବିପୁଳ ସମ୍ପତ୍ତିର ସନ୍ଧାନ ପାଇଛି ଭିଜିଲାନ୍‌ସ। ଚଢ଼ଉ ଶେଷ ହୋଇ ନଥିବାରୁ ସମ୍ପତ୍ତି ପରିମାଣ ବଢ଼ିବାର ସମ୍ଭାବନା ରହିଛି। 
ଶ୍ରୀ ବେହେରା ସରକାରୀ ଅର୍ଥ ତୋଷରପାତ କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ମିଥ୍ୟା ବିଲ୍‌, ଭାଉଚର୍‌ କରି ସେ ୨ କୋଟି ୩୮ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଥିଲା। ପରେ ଏହି ମାମଲାକୁ ଭିଜିଲାନ୍‌ସ ନେଇଥିଲା। ଗତକାଲି ଭିଜିଲାନ୍‌ସ ଅଧିକାରୀମାନେ ତାଙ୍କୁ ଜେରା କରିବା ପରେ ଛାଡ଼ି ‌ଦେଇଥିଲେ। ଆଜି ସକାଳୁ ଅନୁଗୁଳ ସହର ହାକିମପଡ଼ାସ୍ଥିତ ତାଙ୍କର ୩ ମହଲା କୋଠା, ବଅଁରପାଳ ବ୍ଲକ୍‌ ବନ୍ଦା ଗାଁରେ ଥିବା ସଂପର୍କୀୟଙ୍କ ଘର, ହିନ୍ଦୋଳ ଥାନା ବାଉଁଶପୋଖରୀ ଗାଁରେ ପୈତୃକ ବାସଭବନ, ଭୁବନେଶ୍ବର ଶ୍ରୀବିହାରରେ ଜଣେ ସଂପର୍କୀୟଙ୍କ ଘର ଓ ଅନୁଗୁଳ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ‌ରେ ଥିବା ଶ୍ରୀ ବେହେରାଙ୍କ ପ୍ରକୋଷ୍ଠରେ ଏକକାଳୀନ ଚଢ଼ଉ କରାଯାଇଥିଲା।

Related Post