Breaking News
ରାଜନୀତି

ଆମେରିକାରେ ବିନାଶକାରୀ ଶୀତ ଝଡ଼: ୮ ହଜାରରୁ ଅଧିକ ବିମାନ ବାତିଲ

ଆମେରିକାରେ ବିନାଶକାରୀ ଶୀତ ଝଡ଼: ୮ ହଜାରରୁ ଅଧିକ ବିମାନ ବାତିଲ

ୱାସିଂଟନ୍: ସମଗ୍ର ଆମେରିକାରେ ଏକ ଐତିହାସିକ ଶୀତ ଝଡ଼ ଓ ଭୀଷଣ ତୁଷାରପାତ ଯୋଗୁଁ ପ୍ରାୟ ୨୦ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଟେକ୍ସାସଠାରୁ ନ୍ୟୁ ଇଂଲାଣ୍ଡ ପର୍ଯ୍ୟନ୍ତ ୨,୦୦୦ ମାଇଲ ବ୍ୟାପୀ ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୨୦ଟି ରାଜ୍ୟ ଏବଂ ‘ଡିଷ୍ଟ୍ରିକ୍ଟ ଅଫ୍ କଲମ୍ବିଆ’ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଏକକାଳୀନ ୧,୪୦୦ରୁ ଅଧିକ ଜିଲ୍ଲା ପାଇଁ ତୁଷାର ଝଡ଼ ସତର୍କ ସୂଚନା ଜାରି କରାଯାଇଛି। ମଧ୍ୟ-ପଶ୍ଚିମ ଅଞ୍ଚଳରେ ଶନିବାର ସନ୍ଧ୍ୟା ସୁଦ୍ଧା ୬ ଇଞ୍ଚର ବରଫସ୍ତର ଜମି ସାରିଥିବା ବେଳେ ସୋମବାର ସୁଦ୍ଧା ଉତ୍ତର-ପୂର୍ବ ଅଞ୍ଚଳରେ ଏହା ଏକ ଫୁଟରୁ ଅଧିକ ହେବାର ସମ୍ଭାବନା ଅଛି। ଦକ୍ଷିଣ ଏବଂ ମଧ୍ୟ-ଆଟଲାଣ୍ଟିକ୍ ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁଁ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି ଏବଂ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏହି ଶୀତ ଝଡ଼ ପାଇଁ ୮ ହଜାରରୁରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି।  ଆଗକୁ ଆହୁରି ଭୟଙ୍କର ଶୀତ ଝଡ଼ ହେବାନେଇ ପାଣିପାଗ ବିଭାଗ ଆକଳନ କରିଥିବାରୁ ସୋମବାରଠାରୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।   ଜାତୀୟ ପାଣିପାଗ ସେବା ବିଭାଗ ଅନୁଯାୟୀ ପୂର୍ବ ଟେକ୍ସାସରୁ ଉତ୍ତର କ୍ୟାରେଲିନା ପର୍ଯ୍ୟନ୍ତ ପ୍ରବଳ ବରଫପାତ ଅଣାୟତ୍ତ ସ୍ଥିତି ସୃଷ୍ଟି କରିବ।  ଆମେରିକାର ବିଭିନ୍ନ ରାଜ୍ୟରେ ଗଭର୍ନରମାନେ ଆଗାମୀ ସ୍ଥିତିକୁ ନେଇ   ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ଫ୍ଲାଇଟ୍‌ ଟ୍ରାକିଂ ୱେବସାଇଟ୍‌ ‘ଫ୍ଲାଇଟଆୱାର’ ଅନୁଯାୟୀ ଶନିବାର ୩,୪୦୦ରୁ ଅଧିକ ବିମାନ ବାତିଲ କରାଯାଇଛି ଏବଂ ରବିବାର ପାଇଁ ୫ ହଜାରରୁ ଅଧିକ ବିମାନ ବାତିଲ କରାଯାଇଛି।  

Related Post