Breaking News
ଅପରାଧ

ଗୁଜବରୁ ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ: ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳ ପାଲଟିଲା ରଣକ୍ଷେତ୍ର

ଗୁଜବରୁ ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ: ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳ ପାଲଟିଲା ରଣକ୍ଷେତ୍ର

ସୁନ୍ଦରଗଡ଼: ଗୁଜବକୁ ନେଇ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଗୁରୁବାର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରସ୍ପର ଉପରେ ଭୀଷଣ ପଥରମାଡ଼, ଦୋକାନ ଭଙ୍ଗାରୁଜା, ଗାଡ଼ି ପୋଡ଼ି ହୋଇଛି। ଆକ୍ରମଣରେ ୨ ପୁଲିସ କର୍ମଚାରୀଙ୍କ ସହ ଉଭୟ ଗୋଷ୍ଠୀର ୮ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ସୁନ୍ଦରଗଡ଼ ଏସ୍‌ପି ଅମ୍ରିତପାଲ କୌର, ଅତିରିକ୍ତ ଜିଲ୍ଲାପାଳ ସୂରଜ ପଟ୍ଟନାୟକ ଓ ଅଭିମନ୍ୟୁ ମାଝି, ସଦର ଉପଜିଲ୍ଲାପାଳ ତେଜସ୍ବିନୀ ବେହେରା, ତହସିଲଦାର କୁଳମଣି ରଣବିଡ଼ା ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଶାନ୍ତି ବଜାୟ ଲାଗି ସହରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌) ଧାରା ୧୬୩ ଜାରି କରାଯିବା ସହ ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ‌ସେବାକୁ ବନ୍ଦ କରାଯାଇଥିବା ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପଟେ ୧୦ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ମୁତୟନ କରାଯାଇଥିବାବେଳେ ଅପରାହ୍ଣ ୫ଟାରୁ ସମସ୍ତ ଦୋକାନବଜାର ବନ୍ଦ ରଖାଯାଇଛି। ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ଆସନ୍ତାକାଲି (ଶୁକ୍ରବାର) ସୁନ୍ଦରଗଡ଼ ସହର ଓ ଆଖପାଖ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଅଭିଯୋଗ ଅନୁସାରେ, ଆଜି ଦିନ ୧୧ଟାରେ ଭିନ୍ନ ଗୋଷ୍ଠୀର କିଛି ଲୋକ ଘରେ ଗୋମାଂସ ରଖିଥିବା ଗୁଜବ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଅନ୍ୟଗୋଷ୍ଠୀର ଯୁବକମାନେ ରିଜେଣ୍ଟ ମାର୍କେଟ୍‌ ଫାଟକ ଆଗରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ କେତେକଙ୍କ ଘର ଯାଞ୍ଚ କରିଥିଲେ। କିନ୍ତୁ ଗୋମାଂସ ମିଳି ନଥିଲା। ଏ କଥା ଅନ୍ୟଗୋଷ୍ଠୀ ବିଶ୍ବାସ କରିନଥିଲେ। ଏହାକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରସ୍ପର ଉପରେ ପ୍ରବଳ ଇଟାପଥର ମାଡ଼ କରିବା ସହ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିଲେ। ଘଟଣାସ୍ଥଳରେ ପୁଲିସବଳ ସହ ଏସ୍‌ପି ଶ୍ରୀମତୀ କୌର ପହଞ୍ଚି ଉଭୟ ଗୋଷ୍ଠୀକୁ ସେଠାରୁ ଘଉଡ଼ାଇ ଦେଇଥିଲେ। କିଛି ସମୟ‌ ପରେ ପଶ୍ଚିମାଞ୍ଚଳ ଡିଆଇଜି ଶ୍ରୀ ରାୟ ପହଞ୍ଚି ଶାନ୍ତି ପାଇଁ ସହରବାସୀଙ୍କୁ ଅପିଲ୍‌ କରିଥିଲେ। ତେବେ ଉତ୍ତେଜିତ ଗୋଷ୍ଠୀ ‌ସେଠାରୁ ଆସି ନାରୀକଲ୍ୟାଣ କେନ୍ଦ୍ର ନିକଟ ମାଂସ ଦୋକାନ ଓ ଗାଡ଼ିମୋଟରକୁ ଭଙ୍ଗାରୁଜା କରିବା ସହ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜାଳି ଦେଇଥିଲେ।

Related Post