Breaking News
ଖେଳ

ଆଗୁଆ ସରିପାରେ ଗମ୍ଭୀରଙ୍କ ଟେଷ୍ଟ୍‌ କାର୍ଯ୍ୟକାଳ: ଲକ୍ଷ୍ମଣଙ୍କ ସହ ବିସିସିଆଇର ଭିତିରିଆ ଯୋଗାଯୋଗ

 ଆଗୁଆ ସରିପାରେ ଗମ୍ଭୀରଙ୍କ ଟେଷ୍ଟ୍‌ କାର୍ଯ୍ୟକାଳ: ଲକ୍ଷ୍ମଣଙ୍କ ସହ ବିସିସିଆଇର ଭିତିରିଆ ଯୋଗାଯୋଗ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ୍‌  ଶୃଙ୍ଖଳାକୁ ୦-୨ରେ ହାରିବା ପରେ ଭାରତୀୟ ଟେଷ୍ଟ୍‌ ଦଳର ପ୍ରଶିକ୍ଷକ ଭାବେ ଗୌତମ ଗମ୍ଭୀରଙ୍କ ଦିନ ଆପାତତଃ ସାରିସରି ଆସୁଛି। ଏ ସଙ୍କେତ ବିସିସିଆଇର ଏକ ଅପ୍ରତ୍ୟାଶିତ ପଦକ୍ଷେପରୁ ମିଳିଛି। ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକାଠାରୁ ଟିମ୍‌ ଇଣ୍ଡିଆ ଶୃଙ୍ଖଳା ହାରିବା ପରେ ପରେ ପୂର୍ବତନ ନିର୍ଭରଯୋଗ୍ୟ ବ୍ୟାଟର୍‌ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ବିିସିସିଆଇ ଭାରତୀୟ ଟେଷ୍ଟ୍ ଦଳର ପରବର୍ତ୍ତୀ ପ୍ରଶିକ୍ଷକ କରିବାକୁ ଚାହୁଁଛି। ଏଥିନେଇ ଲକ୍ଷ୍ମଣଙ୍କ ସହ ବିସିସିଆଇ ମଧ୍ୟ ଯୋଗାଯୋଗ କରିଛି। ଲକ୍ଷ୍ମଣ ଯଦି ସବୁଜ ସଙ୍କେତ ଦିଅନ୍ତି, ତାହେଲେ ଗମ୍ଭୀରଙ୍କ ଟେଷ୍ଟ୍‌ ପ୍ରଶିକ୍ଷକ କାର୍ଯ୍ୟକାଳ ଆଗୁଆ ଶେଷ ହୋଇପାରେ। ତେବେ ଗମ୍ଭୀର ଦିନିକିଆ‌ ଏବଂ ଟ୍ବେଣ୍ଟି-୨୦ ଦଳର ପ୍ରଶିକ୍ଷକ ରହିବେ। ସବୁକିଛି କିନ୍ତୁ ଲକ୍ଷ୍ମଣଙ୍କ ନିଷ୍ପତ୍ତି ଉପରେ ନିର୍ଭରଶୀଳ ରହିବ। ବେଙ୍ଗାଲୁରୁସ୍ଥିତ ବିସିସିଆଇ ପାରଦର୍ଶି କେନ୍ଦ୍ରର ମୁଖ୍ୟ ଥିବା ଲକ୍ଷ୍ମଣ, ଭାରତୀୟ ଟେଷ୍ଟ୍‌ ଦଳର ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ହେବା ସପକ୍ଷରେ ନଥିବା ଅନ୍ୟ ଏକ ରିପୋର୍ଟ ଦାବି କରିଛି। ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ସୀମିତ ଓଭର କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ହେଲେ ଟେଷ୍ଟ୍‌ କ୍ରିକେଟ୍‌ରେ ସେନା ଦେଶ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ) ବିପକ୍ଷରେ ୧୦ଟି ମ୍ୟାଚ୍‌ ହାରି ସାରିଲାଣି। ଯାହା ବିସିସିଆଇକୁ ବିଚଳିତ କରୁଛି। ପୁଣି ତାଙ୍କ କାର୍ଯ୍ୟକାଳ ୨୦୨୭ ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ପରେ ଶେଷ ହେବାର ଅଛି। ତାଙ୍କ ଟେଷ୍ଟ୍‌ ପ୍ରଶିକ୍ଷକ ଭବିଷ୍ୟତ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ ୨୦୨୫-୨୭ ଚକ୍ରରେ ଭାରତୀୟ ଦଳ ଖେଳିବାକୁ ଥିବା ଅବଶିଷ୍ଟ ୯ ଟେଷ୍ଟ୍‌ ଉପରେ ନିର୍ଭର କରୁଛି। ଏହି ଟେଷ୍ଟ୍‌ଗୁଡ଼ିକରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କଲେ ବିସିସିଆଇ ତାଙ୍କୁ ହଟାଇବା ଯୋଜନାରୁ ଓହରି ଯାଇପାରେ ବୋଲି ଏହି ରିପୋର୍ଟରେ ଦାବି କରାଯାଇଛି। ଗମ୍ଭୀରଙ୍କୁ ମଧ୍ୟ ବିସିସିଆଇର ଏକ କ୍ଷମତାଶାଳୀ ଗୋଷ୍ଠୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ସେହିଭଳି ବିକଳ୍ପର ଅଭାବ ମଧ୍ୟ ବିସିସିଆଇକୁ କୌଣସି କଠୋର ପଦକ୍ଷେପ ନେବାରୁ ରୋକୁଛି। ଅବଶ୍ୟ ଭାରତୀୟ ଡ୍ରେସିଂ ରୁମ୍‌ରେ ଆଉ ଆଗଭଳି ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ନଥିବା ରିପୋର୍ଟରେ ଦାବି ହୋଇଛି। 

Related Post