Breaking News
ଖେଳ

ଭାରତର କ୍ରମାଗତ ଦଶମ ଶୃଙ୍ଖଳା ବିଜୟ: ଦକ୍ଷିଣ ଆଫ୍ରିକା ୩୦ ରନ୍‌ରେ ପରାସ୍ତ

ଭାରତର କ୍ରମାଗତ ଦଶମ ଶୃଙ୍ଖଳା ବିଜୟ: ଦକ୍ଷିଣ ଆଫ୍ରିକା ୩୦ ରନ୍‌ରେ ପରାସ୍ତ

ଅହମଦାବାଦ: ପଞ୍ଚମ ତଥା ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୩୦ ରନ୍‌ରେ ହରାଇ ଭାରତ ୫ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୧ରେ ଜିତି ନେଇଛି। ଏଥି ସହିତ ଟେଷ୍ଟ୍ ଶୃଙ୍ଖଳା (୦-୨) ପରାଜୟର ମଧୁର ପ୍ରତିଶୋଧ ଉଭୟ ସୀମିତ ଓଭର ଶୃଙ୍ଖଳାରେ ନେଇଯାଇଛି। ଦିନିକିଆ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଥିଲା। ଭାରତ ମଧ୍ୟ କ୍ରମାଗତ ଦଶମ ଟ୍ବେଣ୍ଟି-୨୦ ଶୃଙ୍ଖଳା/ଟୁର୍ଣ୍ଣାମେଣ୍ଟରେ ବିଜୟ ହୋଇଛି। ହାର୍ଦିକ ପାଣ୍ଡ୍ୟା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ ବରୁଣ ଚକ୍ରବର୍ତ୍ତୀ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତ ପାଇଁ ସଂଜୁ ସାମ୍‌ସନ୍ ଓ ଅଭିଷେକ‌ ଶର୍ମା ବଢ଼ିଆ ଆରମ୍ଭ କରିଥିଲେ। ପାୱାର ପ୍ଲେ ୬ ଓଭରରେ ଗୋଟିଏ ୱିକେଟ୍‌ ହରାଇ ୬୭ ରନ୍ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇଥିଲେ। ଗିଲ୍‌ଙ୍କ ସ୍ଥାନରେ ଖେଳିଥିବା ସଂଜୁ ସାମ୍‌ସନ୍‌ ୨୨ ବଲ୍‌ରୁ ୩୭ ଏବଂ ଅଭିଷେକ ୨୧ ବଲ୍‌ରୁ ୩୪ ରନ୍ ସଂଗ୍ରହ କରି ଆଉଟ୍ ହୋଇଯାଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ (୭ ବଲ୍‌ରୁ ୫ ରନ୍) ବିଫଳତା ଧ‌ାରା ଜାରି ରହିଥିଲା। ମଧ୍ୟକ୍ରମରେ କିନ୍ତୁ ତିଳକ ବର୍ମା ଓ ହାର୍ଦିକ ପାଣ୍ଡ୍ୟା ୭.୨ ଓଭରରେ ୧୦୫ ରନ୍ ଯୋଡ଼ି ଭାରତକୁ ବଡ଼ ସ୍କୋର୍‌ ଦିଗରେ ନେଇଥିଲେ। ତିଳକ ୪୨ ବଲ୍‌ରୁ ୭୩ ରନ୍ ଏବଂ ହାର୍ଦିକ ୨୫ ବଲ୍‌ରୁ ୬୩ ରନ୍ ସଂଗ୍ରହ କରିଥିଲେ। ମାତ୍ର ୧୬ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରି ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଭାବେ ଦ୍ବିତୀୟ ଦ୍ରୁତତମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ପୂର୍ବରୁ ଭାରତୀୟ ରେକର୍ଡ ଯୁବରାଜ ସିଂହ (୧୨ ବଲ୍‌)ଙ୍କ ନାମରେ ଥିଲା। ବିଶ୍ବ କ୍ରିକେଟ୍‌ରେ କିନ୍ତୁ ଦ୍ରୁତତମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ନେପାଳର ଦୀପେନ୍ଦ୍ର ସିଂହ ଐରି (୯ ବଲ୍ ବନାମ ମଙ୍ଗୋଲିଆ, ୨୦୨୩ ଏସୀୟ କ୍ରୀଡ଼ା)ଙ୍କ ନାମରେ ରହିଛି।

Related Post