Breaking News
ଖେଳ

ଦକ୍ଷିଣ ଆଫ୍ରିକା ପାଇଁ କୁଲଦୀପ କଣ୍ଟା: ପ୍ରଥମ ଦିନ ଦକ୍ଷିଣ ଆଫ୍ରିକା ୨୪୭/୬

ଦକ୍ଷିଣ ଆଫ୍ରିକା ପାଇଁ କୁଲଦୀପ କଣ୍ଟା: ପ୍ରଥମ ଦିନ ଦକ୍ଷିଣ ଆଫ୍ରିକା ୨୪୭/୬

ଗୁଆହାଟୀ: ଗୁଆହାଟୀଠାରେ ଆରମ୍ଭ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ଦିନର ସମ୍ମାନ ଉଭୟ ଦଳର ଖାତାକୁ ଯାଇଛି। ଦକ୍ଷିଣ ଆଫ୍ରିକା ଶନିବାରର ୮୧.୫ ଓଭର ଖେଳରେ ୨୪୭ ରନ୍ କରିଥିଲା ବେଳେ ଭାରତ ଏହାର ଶୀର୍ଷ ୬ ବ୍ୟାଟର୍‌ଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଛି। ପ୍ରଥମ ଥର ପାଇଁ ଭାରତରେ ଖେଳାଯାଇଥିବା କୌଣସି ଟେଷ୍ଟ୍‌ର ମଧ୍ୟାହ୍ନଭୋଜନ ପୂର୍ବରୁ ଚା’ ପାନ ବିରତି ଡକାଯାଇଥିବା ଏହି ମ୍ୟାଚ୍‌ର ଦ୍ବିତୀୟ ଅଧିବେଶନ ସୁଦ୍ଧା ଦକ୍ଷିଣ ଆଫ୍ରିକା ମାତ୍ର ୨ ୱିକେଟ୍ ହରାଇ ଦୃଢ଼ ସ୍ଥିତିରେ ରହିଥିଲା। ତେବେ ଅନ୍ତିମ ଅଧିବେଶନରେ ଆଉ ଚାରିଟି ୱିକେଟ୍ ଝାଡ଼ି ଭାରତ ଭ୍ରମଣକାରୀ ଦଳକୁ ପ୍ରଥମ ଦିନର ସବୁ ସମ୍ମାନ ହାତେଇ ନେବାରୁ ଅଟକାଇଥିଲା। ତା’ ସହିତ ଏଠାକାର ବର୍ଷାପାରା ଷ୍ଟାଡିୟମ୍‌ ଭାରତର ନୂଆ ଟେଷ୍ଟ୍ ଭେନ୍ୟୁର ମାନ୍ୟତା ଲାଭ କରିଛି। ପୂର୍ବରୁ ଦୁଇଟି ଦିନିକିଆ ଓ ତିନିଟି ଟ୍ବେଣ୍ଟି-୨୦ ଆୟୋଜିତ ହୋଇଥିବା ଏହି ଷ୍ଟାଡିୟମ୍‌ରେ ଶନିବାର ‌‘ଟେଷ୍ଟ୍’ କ୍ରିକେଟ୍ ଆନୁଷ୍ଠାନିକ ଭାବେ ପଦାର୍ପଣ କରିଛି। ନିୟମିତ ଅଧିନାୟକ ଶୁବମନ୍ ଗିଲ୍‌ଙ୍କ ଅନୁପସ୍ଥିତି‌ରେ ଉପଅଧିନାୟକ ଋଷଭ ପନ୍ତ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି। ଟସ୍‌ରେ କିନ୍ତୁ ସେ ମଧ୍ୟ ଭାରତର ଭାଗ୍ୟକୁ ବଳଦାଇ ପାରିନାହାନ୍ତି। ଫଳରେ ଗତ ୯ ଟେଷ୍ଟ୍‌‌ରୁ ଭାରତ ୮ଟି ଟେଷ୍ଟ୍‌ ହାରିବାର ଅଲୋଡ଼ା ରେକର୍ଡ କରିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୁମା ଆଉ ଏକ ମହତ୍ତ୍ବପୂର୍ଣ୍ଣ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଦୁଇ ଓପନର୍‌ ଐଦେନ ମାର୍କରାମ୍‌ ଓ ରିୟାନ ରିକେଲଟନ୍ ପ୍ରଥମ ୱିକେଟ୍‌ରେ ୮୨ ରନ୍ ଯୋଡ଼ି ଦକ୍ଷିଣ ଆଫ୍ରିକାକୁ ଭଲ ଆରମ୍ଭ ଦେଇଥିଲେ। ତେବେ ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ଏବଂ କଚଟି ସ୍ପିନର କୁଲଦୀପ ଯାଦବ ଚା’ ପାନ ବିରତିର ଉଭୟ ପଟେ ଗୋଟିଏ ଲେଖାଏଁ ୱିକେଟ୍ ନେଇ ଭାରତ ଶିବିରରେ ଖୁସି ଭରି ଦେଇଥିଲେ। ଦିନର ପ୍ରଥମ ୱିକେଟ୍ ଭାବେ ବୁମ୍‌ରା ଅର୍ଦ୍ଧଶତକର ୧୨ ରନ୍ ପୂର୍ବରୁ ମାକ୍ରରାମ୍‌ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ସେହିଭଳି ଚା’ ପାନ ବିରତି ପରର ପ୍ରଥମ ବଲ୍‌ରେ ରିକେଲଟନ୍‌ଙ୍କୁ କୁଲଦୀପ ଶିକାର କରି ନେଇଥିଲେ। ଉଭୟ ଓପନର୍‌ଙ୍କୁ ତିନିଟି ବଲ୍ ଭିତରେ ହରାଇବା ପରେ ତ୍ରିସ୍ତନ୍ ଷ୍ଟବ୍‌ସ ଓ ବଭୁମା ତୃତୀୟ ୱିକେଟ୍‌ରେ ୮୪ ରନ୍ ଯୋଡ଼ି ଦକ୍ଷିଣ ଆଫ୍ରିକା ସ୍ଥିତିକୁ ସୁଧାରିବାର ସାହସିକ ପ୍ରୟାସ ଜାରି ରଖିଥିଲେ।

Related Post