Breaking News
ଖେଳ

ଓଡ଼ିଶା-ଉତ୍ତରପ୍ରଦେଶ ରଣଜୀ ମୁକାବିଲା ଡ୍ର’: ୧୨ ଜଣଙ୍କ ୮ ଦିନ ସଂଘର୍ଷ ପରେ ୧ ପଏଣ୍ଟ୍‌

ଓଡ଼ିଶା-ଉତ୍ତରପ୍ରଦେଶ ରଣଜୀ ମୁକାବିଲା ଡ୍ର’: ୧୨ ଜଣଙ୍କ ୮ ଦିନ ସଂଘର୍ଷ ପରେ ୧ ପଏଣ୍ଟ୍‌

ଭୁବନେଶ୍ବର: ତୃତୀୟ ଦିନ ବର୍ଷା ଏବଂ ଚତୁର୍ଥ ଦିନ ସ୍ବସ୍ତିକ ସାମଲଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଓଡ଼ିଶା ରଣଜୀ ଟ୍ରଫି ପଏଣ୍ଟ୍‌ ତାଲିକାରେ ଖାତା ଖୋଲିଛି। କିନ୍ତୁ ଏଥି ପାଇଁ ବାରବାଟୀ ଓ କାନପୁରରେ ୮ ଦିନ ଧରି ୧୨ ଜଣଙ୍କ ସଂଘର୍ଷ ପରେ ଗୋଟିଏ ମାତ୍ର ପଏଣ୍ଟ୍‌ ମିଳିଛି। ବାରବାଟୀରେ ବରୋଦାଠାରୁ ଶେଷ ଦିନରେ ହାରିଥିବା ଓଡ଼ିଶା ଦଳ ମଙ୍ଗଳବାର କାନପୁରର ଗ୍ରିନ୍‌ପାର୍କରେ ଉତ୍ତରପ୍ରଦେଶ ବିପକ୍ଷ ଦ୍ବିତୀୟ ରାଉଣ୍ଡ୍ ମୁକାବିଲାକୁ ଡ୍ର’ ରଖିଛି ପାଗର ସହାୟତାରେ। ବର୍ଷା ଓ ମନ୍ଥର ବ୍ୟାଟିଂ କାରଣରୁ ଉତ୍ତରପ୍ରଦେଶ ମଧ୍ୟ ବିଜୟରୁ ବଞ୍ଚିତ ହୋଇଛି। ଶତକୀୟ ପାଳି ପାଇଁ ଉତ୍ତରପ୍ରଦେଶ ଅଧିନାୟକ କରଣ ଶର୍ମା (୧୨୧) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଓଡ଼ିଶା ନିଜ ପରବର୍ତ୍ତୀ ମ୍ୟାଚ୍‌ ଆନ୍ଧ୍ରପ୍ରଦେଶ ବିପକ୍ଷରେ ନଭେମ୍ବର ପହିଲାରୁ ବାରବାଟୀରେ ଖେଳିବ।ବର୍ଷା ଓ ଆଲୋକ ଅଭାବ କାରଣରୁ ତୃତୀୟ ଓ ଚତୁର୍ଥ ଦିନର ‌ଖେଳ ମାତ୍ର ୪୨ ଓ ୪୬ ଓଭର ଖେଳାଯାଇଥିଲା। ମଙ୍ଗଳବାର ଉତ୍ତରପ୍ରଦେଶ ୩୮୦/୬ରୁ ଖେଳି ମାତ୍ର ୨ ଓଭରରୁ ୨୯ ରନ୍ ଯୋଡ଼ିବା ପରେ ୪୦୯/୬ରେ ପାଳି ଘୋଷଣା କରି ଦେଇଥିଲା। ପ୍ରଥମ ପାଳିରେ ଓଡ଼ିଶା ୧୬୬ ରନ୍ ପଛୁଆ ରହିଥିଲା। ଦ୍ବାଦଶ ଓଭର ବେଳକୁ ଆଶୀର୍ବାଦ ସ୍ବାଇଁ (୨୩) ଓ ସନ୍ଦୀପ ପଟ୍ଟନାୟକ (୫)ଙ୍କୁ ଶିବମ ମାଭି ପ୍ୟାଭିଲିଅନ୍‌ ପଠାଇ ଦେଇଥିଲେ। ଫଳରେ ଓଡ଼ିଶା ଚାପରେ ପଡ଼ିଥିଲା। ଅଧିନାୟକ ଶୁଭ୍ରାଂଶୁ ସେନାପତି (୧୧)ଙ୍କୁ କୁନାଲ ତ୍ୟାଗୀ ଏଲ୍‌ବିଡବ୍‌ଲ୍ୟୁ କରି ଦେଇଥିଲେ। ଓଡ଼ିଶା ୭୯/୩ରେ ପହଞ୍ଚିଯିବାରୁ ମ୍ୟାଚ୍‌ ବଞ୍ଚାଇବାର ଆଶଙ୍କା ଜାତ ହୋଇଥିଲା। ଏହି ସମୟରେ ଓପନର୍‌ ସ୍ବସ୍ତିକ ସାମଲ (୭୧* ରନ୍, ୧୧୩ ବଲ୍‌, ୮‌ ‌ଚୌକା, ୧ ଛକା) ଓ ଗୋବିନ୍ଦ ପୋଦ୍ଦାର (୩୮* ରନ୍, ୭୨ ବଲ୍‌, ୫ ଚୌକା) ଅତୁଟ ଚତୁର୍ଥ ୱିକେଟ୍‌ରେ ୭୨ ରନ୍‌ ଯୋଡ଼ିଥିବା ବେଳେ ଉଭୟ ପକ୍ଷ ମ୍ୟାଚ୍‌ ଡ୍ର’ ପାଇଁ ରାଜି ହୋଇଯାଇଥିଲେ। ପଦାର୍ପଣରେ ସମ୍ବିତ ବରାଳଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ (୫୯* ଓ ୩/୫୨) ଏବଂ ଗୋବିନ୍ଦ ପୋଦ୍ଦାର (୬୪ ଓ ୩୮*) ଓ ସ୍ବସ୍ତିକ ସାମଲ (୭୧*) ଫର୍ମକୁ ଫେରିବା ଛଡ଼ା ଓଡ଼ିଶା ପାଇଁ ଏହି ମ୍ୟାଚ୍‌ରୁ ଆଉ କିଛି ସକାରାତ୍ମକ ମିଳିନାହିଁ। ଦଳର ଦୁଇ ମୁଖ୍ୟ ଦ୍ରୁତ ବୋଲର ରାଜେଶ ମହାନ୍ତି ଓ ସୁନିଲ ରାଉଳ ପ୍ରଥମ ଦୁଇ ମ୍ୟାଚ୍‌ରେ ୱିକେଟଶୂନ୍ୟ ରହିବା ବଡ଼ ଚିନ୍ତା ବଢ଼ାଇଛି।

Related Post