Breaking News
ଖେଳ

ଅଷ୍ଟ୍ରେଲିଆର ରେକର୍ଡ ବିଜୟ: ଭାରତକୁ ଲଗାତାର ଝଟକା

ଅଷ୍ଟ୍ରେଲିଆର ରେକର୍ଡ ବିଜୟ: ଭାରତକୁ ଲଗାତାର ଝଟକା

ବିଶାଖାପାଟଣା: ଚଳିତ ଏକଦିବସୀୟ ମହିଳା କ୍ରିକେଟ୍ ବିଶ୍ବକପ୍‌ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ରବିବାର ଆୟୋଜକ ଭାରତକୁ ଅଷ୍ଟ୍ରେଲିଆ ୩ ୱିକେଟ୍‌ରେ ହରାଇଛି। ଚତୁର୍ଥ ମ୍ୟାଚ୍‌ରୁ ଭାରତର ଏହା ଦ୍ବିତୀୟ ପରାଜୟ ହୋଇଥିଲା ବେଳେ ଅଷ୍ଟ୍ରେଲିଆ ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରି ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତି ଆହୁରି ସୁଦୃଢ଼ କରି ନେଇଛି। ଭାରତର ୩୩୦ ରନ୍‌କୁ ପଛରେ ପକାଇ ମହିଳା ଦିନିକିଆରେ ସଫଳ ପଶ୍ଚାତଧାବନ ରେକର୍ଡ କରିଛି ଅଷ୍ଟ୍ରେଲିଆ। ୩୩୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ପାଇଁ ଅଧିନାୟିକା ଆଲିସା ହିଲି ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ। ୧୪୨ ରନ୍‌ର ସ୍ମରଣୀୟ ପାଳି ଖେଳି ଭାରତ ହାତରୁ ଏକପ୍ରକାର ସେ ହିଁ ମ୍ୟାଚ୍ ଛାଡ଼ାଇ ନେଇଥିଲେ। ଅଧିନାୟିକା ଭାବେ ଏହା ତାଙ୍କର ପ୍ରଥମ ଏବଂ ମୋଟ ଉପରେ ଷଷ୍ଠ ଶତକ ଥିଲା। ଅନ୍ୟଏକ ନାଟକୀୟ ଘଟଣାକ୍ରମେ ତାରକା ବ୍ୟାଟର୍ ଏଲିସ୍ ପେରି (୪୭*) ମାଂଶପେସୀ ଯନ୍ତ୍ରଣା ପାଇଁ ୨୭ତମ ଓଭରରେ ଅବସର ଆହତ ହୋଇଥିଲେ। ତେବେ ପଶ୍ଚାତ୍‌ଧାବନର ଶେଷ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ବେଳେ ପିଚ୍‌କୁ ଫେରି କଙ୍ଗାରୁ ଦଳକୁ ଗୋଟିଏ ଓଭର ପୂର୍ବରୁ ବିଜୟୀ କରାଇଥିଲେ। ସ୍ନେହ ରାଣାଙ୍କୁ ଛକା ମାରି ସେ ହିଁ ଅଷ୍ଟ୍ରେଲିଆର ବିଜୟ ମୁଣ୍ଡି ମାରିଥିଲେ। ଜବରଦସ୍ତ ଆରମ୍ଭ ‌ସତ୍ତ୍ବେ ମଝିରେ ୩୬ ରନ୍‌ରେ ୬ ୱିକେଟ୍ ହରାଇ ଅଡ଼ୁଆରେ ପଡ଼ିଥିବା ଅଷ୍ଟ୍ରେଲିଆ ଶେଷରେ ପଶ୍ଚାତ୍‌ଧାବନର ନୂଆ ରେକର୍ଡ ସ୍ଥାପନ କରିଥିଲା। ହିଲି ତାଙ୍କ ଶତକୀୟ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। 

Related Post