Breaking News
ଖେଳ

ଅବହେଳିତ ଆଥଲେଟ୍‌: ସୁଯୋଗକୁ ଅପେକ୍ଷା କରିଛନ୍ତି ଗୋଲାପୀ ସିର୍‌କା

ଅବହେଳିତ ଆଥଲେଟ୍‌: ସୁଯୋଗକୁ ଅପେକ୍ଷା କରିଛନ୍ତି ଗୋଲାପୀ ସିର୍‌କା

କାଳିଆପାଣି : ଓଡ଼ିଶା ଷ୍ଟେଟ୍‌ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍‌ ୨୦୨୪-୨୫ ଓ ୨୦୨୫-୨୬ରେ ଲଗାତାର ୨ ବର୍ଷ ଧରି ୩ ବିଭାଗ (ସଟ୍‌ପୁଟ୍‌, ଡିସ୍କସ ଓ ଜାଭେଲିନ୍‌ ଥ୍ରୋ’)ରେ ସ୍ବର୍ଣ୍ଣ ପଦକ ବିଜୟିନୀ ପାରା ଆଥଲେଟ୍‌ ଗୋଲାପୀ ସିର୍‌କାଙ୍କୁ ଯାଜପୁର ଜିଲ୍ଲାର ବଣମଲ୍ଲୀ ହୋଇରହିଛନ୍ତି। ଜାତୀୟ ସ୍ତରର ପ୍ରତିଯୋଗିତାରେ ସ୍ବର୍ଣ୍ଣିମ ସଫଳତା ସତ୍ତ୍ବେ ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ବିଭାଗ ତାଙ୍କୁ ଏଯାବତ୍ ସହାୟତା ପ୍ରଦାନ ଦୂରେ ଥାଉ ତାଙ୍କ କୃତିତ୍ବକୁ ସମ୍ମାନ ଜଣାଇନଥିବା ସାଧାରଣରେ ଅଭିଯୋଗ ହୁଏ। ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତର ବଣପାହାଡ଼ ଘେରା ଅଖ୍ୟାତ ପଲ୍ଲୀ କାକୁଡ଼ିଆ ଗାଁର ଦିନ ମଜୁରିଆ ଗରିବ ଆଦିବାସୀ ଦମ୍ପତି ଜୀରା ଓ ବୀରସିଂହ ସିର୍‌କାଙ୍କ ଦ୍ବିତୀୟ ଝିଅ ଗୋଲାପୀଙ୍କ ଜନ୍ମରୁ ଏଯର୍ଯ୍ୟନ୍ତ ତାଙ୍କ ଅସରନ୍ତି ସଂଘର୍ଷମୟ କାହାଣୀକୁ ନେଇ ଇଏ ‘ସମ୍ବାଦ’ର ବିଶେଷ ଉପସ୍ଥାପନା। ଝାଟିମାଟି ଘରର ଅସ୍ବାସ୍ଥ୍ୟକର ପରିବେଶରେ ଗୋଲାପୀଙ୍କ ଜନ୍ମ। ୬ ଭଉଣୀ ଓ ଜଣେ ଭାଇଙ୍କୁ ନେଇ ତାଙ୍କ ୯ ଜଣିଆ ବଡ଼ ପରିବାରର ପ୍ରତିପୋଷଣ ପାଇଁ ଜୀରା ଓ ବୀରସିଂହଙ୍କୁ ପ୍ରତିଦିନ ପେଟ ଚିନ୍ତା କରିବାକୁ ହୋଇଥାଏ। ୬ ବର୍ଷ ବୟସରେ ଢେଙ୍କାନାଳ ଜିଲ୍ଲା କାମ‌ାକ୍ଷାନଗର ଉପକଣ୍ଠ ଜନ୍ତାରିବୋଲ ସେବାଶ୍ରମରେ ଗୋଲାପୀଙ୍କ ନାମ ଲେଖାଯାଇଥିଲା। ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ସମୟରେ ଦିନେ ହଷ୍ଟେଲ ଖଟରେ ମଶାରି ବାନ୍ଧୁଥିବା ସମୟରେ ଚଟାଣରେ ଗୋଡ଼ ଖସି ଗୋଲାପୀ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ସେହିରାତି ପ୍ରବଳ ବିନ୍ଧା ଛିଟିକା ହୋଇ ଜ୍ବର ଆସିଥିଲା। ଖବରପାଇ ପରଦିନ ଅସୁସ୍ଥ ଝିଅକୁ ସାଥୀରେ ଧରି ମାଆ ଗାଁକୁ ପଳାଇଆସିଥିଲେ। ନିରକ୍ଷର ମା’ବାପା ୨ମାସ ଧରି ଗାଁରେ ଝିଅର ପାରମ୍ପରିକ ଜଡ଼ିବୁଟି ଚିକିତ୍ସା କରାଇଥିଲେ। ହେଲେ ରୋଗ ବଢ଼ିଲା ପଛେ କମିଲାନି। ପରେ ତାଙ୍କୁ ଟାଟାଷ୍ଟିଲ ସୁକିନ୍ଦ‌ା ହସପିଟାଲ୍ ଓ ସେଠାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।

Related Post