Breaking News
ଖେଳ

ଅଢ଼େଇ ଦିନରେ ଅହମଦାବାଦ ଲଢ଼େଇ ଶେଷ: ଗିଲ୍‌ଙ୍କ ନେତୃତ୍ବରେ ପ୍ରଥମ ଘରୋଇ ଟେଷ୍ଟ୍ ବିଜୟ

ଅଢ଼େଇ ଦିନରେ ଅହମଦାବାଦ ଲଢ଼େଇ ଶେଷ: ଗିଲ୍‌ଙ୍କ ନେତୃତ୍ବରେ ପ୍ରଥମ ଘରୋଇ ଟେଷ୍ଟ୍ ବିଜୟ

ଅହମଦାବାଦ: ଅହମଦାବାଦ ଟେଷ୍ଟ୍‌ରେ ଭାରତ ବହୁତ ବଡ଼ ବିଜୟ ହାସଲ କରିଛି। ଅଢ଼େଇ ଦିନରେ ଲଢ଼େଇ ଶେଷ କରି ୱେଷ୍ଟଇଣ୍ଡିଜ୍‌କୁ  ଗୋଟିଏ ପାଳି ଓ ୧୪୦ ରନ୍‌ରେ ପରାସ୍ତ କରିଛି। ତା’ ସହିତ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଉଭୟ ବ୍ୟାଟ୍ ଓ ବଲ୍‌ରେ ଚମକ ଦେଖାଇ ଶୁବମନ୍ ଗିଲ୍‌ଙ୍କ ନେତୃତ୍ବରେ ଭାରତକୁ ପ୍ରଥମ ଘରୋଇ ଟେଷ୍ଟ୍ ବିଜୟ ଉପହାର ଦେଇଛନ୍ତି। ଗିଲ୍‌ଙ୍କ ପାଇଁ ଶନିବାର ମଧ୍ୟ ନୂଆ ସମ୍ଭାବନା ନେଇ ଆସିଛି। ଆଜି ସେ ଭାରତୀୟ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲା ବେଳେ ଟେଷ୍ଟ୍ କ୍ରିକେଟ୍‌ରେ ମଧ୍ୟ ନୂଆ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ସେ ଇଂଲଣ୍ଡ ଗସ୍ତରେ ପ୍ରଥମ ଥର ଲାଗି ଭାରତୀୟ ଟେଷ୍ଟ୍ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ। ସେହି ଶୃଙ୍ଖଳାକୁ ତାଙ୍କ ବଳିଷ୍ଠ ନେତୃତ୍ବ ବଳରେ ଭାରତ ୨-୨ରେ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲା। ଉଭୟ ଦଳ ମଧ୍ୟରେ ଦ୍ବିତୀୟ ତଥା ଶେଷ ଟେଷ୍ଟ୍ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଆସନ୍ତା ୧୦ ତାରିଖରୁ ଖେଳାଯିବ। ଏହାକୁ ଜିତି ଟିମ୍‌ ଇଣ୍ଡିଆ ୨-୦ରେ ଶୃଙ୍ଖଳା ମୂଳପୋଛ କରିବା ଲକ୍ଷ୍ୟରେ ରହିବ। ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ନିକଟରେ ନେପାଳ ଭଳି ଦୁର୍ବଳ ଓ ଅନଭିଜ୍ଞ ଦଳଠାରୁ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିଥିବାରୁ ଭାରତୀୟ ଦଳକୁ ସେତେଟା ଟକ୍କର ଦେବ ନାହିଁ ବୋଲି ଆକଳନ କରାଯାଉଥିଲା। ହେଲେ ଏହି ଦଳ ତା’ର ଉଭୟ ପାଳିରେ ଶୋଚନୀୟ ବ୍ୟାଟିଂ କରି ୨୦୦ ରନ୍ ଛୁଇଁ ନ ପାରିବାର ଆଶା ଖୁବ୍‌କମ୍ କ୍ରିକେଟ୍ ବିଶେଷଜ୍ଞ ରଖିଥିଲେ। ଭାରତୀୟ ବୋଲର କିନ୍ତୁ ଏହା କରି ଦେଖାଇଥିଲେ। ପ୍ରଥମ ପାଳିରେ ଯଶପ୍ରୀତ୍ ବୁମ୍‌ରା ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇ ନପାରି ଇଣ୍ଡିଜ୍ ମାତ୍ର ୧୬୨ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଦ୍ବିତୀୟ ପାଳିରେ ଆହୁରି ଖରାପ କରି ୧୪୬ ରନ୍ ଆଗକୁ ବଢ଼ି ପାରି ନଥିଲା। ୪ଟି ୱିକେଟ୍ ନେଇ ଜାଡ଼େଜା ଇଣ୍ଡିଜ୍ ବିପର୍ଯ୍ୟୟରେ ଅଗ୍ରଣୀ ଭୂମିକା ତୁଲାଇଥିଲେ। ସିରାଜଙ୍କୁ ମଧ୍ୟ ତିନିଟି ୱିକେଟ୍ ମିଳିଥିଲା। ଏହା ପୂର୍ବରୁ ଭାରତୀୟ ଦଳ ଚମତ୍କାର ବ୍ୟାଟିଂ କରି କେଏଲ୍ ରାହୁଲ, ଧ୍ରୁବ ଜୁରେଲ ଓ ଜାଡ଼େଜାଙ୍କ ଶତକ ବଳରେ ଶୁକ୍ରବାର ଦ୍ବିତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ବିନିମୟରେ ୪୪୮ ରନ୍ କରି ନେଇଥିଲା। ଶନିବାର ତୃତୀୟ ଦିନ ସକାଳୁ ଗିଲ୍ ବାହିନୀ ସେହି ସ୍କୋର୍‌ରେ ପାଳି ଘୋଷଣା କରିଥିଲା। ପୁଣି ଇଣ୍ଡିଜ୍‌କୁ କେବଳ ୪୫.୧ ଓଭର ଭିତରେ ଅଲ୍‌ଆଉଟ୍ କରି ଆଧିପତ୍ୟଭରା ବିଜୟ ହାସଲ କରିଥିଲା। ଜାଡ଼େଜା ତାଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେ ମଧ୍ୟ ଟେଷ୍ଟ୍ କ୍ରିକେଟ୍‌ରେ ଭାରତ ପକ୍ଷରୁ ସର୍ବାଧିକ ଥର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବାରେ ରାହୁଲ ଦ୍ରାବିଡ଼ (୧୧)ଙ୍କ ସମକକ୍ଷ ହୋଇଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୪ଟି ମ୍ୟାଚ୍‌ର ଶ୍ରେଷ୍ଠ ପୁରସ୍କାର ସହ ଏହିକ୍ରମରେ ପ୍ରଥମ ସ୍ଥାନରେ ରହିଛନ୍ତି।ସଂକ୍ଷିପ୍ତ ସ୍କୋର୍: ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି ୪୪.୧ ଓଭରରେ ୧୬୨। ଭାରତ ପ୍ରଥମ ପାଳି ୧୨୮ ଓଭରରେ ୪୪୮/୫ ଘୋଷିତ (ଧ୍ରୁବ ଜୁରେଲ ୧୨୫, ରବୀନ୍ଦ୍ର ଜାଡ଼େଜା ୧୦୪*, ରସ୍ତନ ଚେଜ୍ ୨/୯୦)। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି ୪୫.୧ ଓଭରରେ ୧୪୬ (ଆଲିକ ଅଥାଞ୍ଜ ୩୮, ଜଷ୍ଟିନ ଗ୍ରିଭ୍‌ସ ୨୫, ରବୀନ୍ଦ୍ର ଜାଡ଼େଜା ୪/୫୪, ମହମ୍ମଦ ସିରାଜ ୩/୩୧, କୁଲଦୀପ ଯାଦବ ୨/୨୩)।

Related Post