Breaking News
ଅପରାଧ

ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀରେ ନୂଆପଡା ଜିଲ୍ଲାର ୨ ଯୁବକ ଗିରଫ

ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀରେ  ନୂଆପଡା ଜିଲ୍ଲାର ୨ ଯୁବକ ଗିରଫ

ଓଡ଼ିଶା ପୋଲିସ ରିକ୍ରୃଟମେଣ୍ଟ ବୋର୍ଡ  ସବ-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ କପି କରିବା ଅପଚେଷ୍ଟାରେ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ୪ ଦଲାଲଙ୍କୁ କ୍ରାଇମବ୍ରାଞ୍ଚ  ଗିରଫ କରିଛି । ଗିରଫଙ୍କ ମଧ୍ୟରେ ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ  ଭେଲା ଗ୍ରାମର ଶ୍ରୀବତ୍ସ ଶବରଙ୍କ ପୁଅ ଲିଙ୍ଗରାଜ ଶବର ଓ ସଦର ସିନାପାଲିର ଈଶ୍ୱର ପ୍ରସାଦ ମେହେରଙ୍କ ପୁଅ ପ୍ରଭାତ କୁମାର ମେହେର ଥିବା  ଜଣାପଡିଛି । ଅପରପକ୍ଷେ କଟକ ବିଦ୍ୟାଧରପୁର ଅଞ୍ଚଳର ୨୯ ବର୍ଷିୟ ବିଶ୍ବରଞ୍ଜନ ବେହେରାକୁ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ଏହି ରାକେଟର ପ୍ରକୃତ ମାଷ୍ଟର ମାଇଣ୍ଡ ଖୁବ୍ ଚଞ୍ଚଳ ଚିହ୍ନଟ ହେବାର ଆଶା ସଞ୍ଚାର ହୋଇଛି । ବିଶ୍ବରଞ୍ଜନ ଏହି ରାକେଟ ମୁଖ୍ୟଙ୍କ ଇଙ୍ଗିତରେ ପ୍ରାର୍ଥୀମାନଙ୍କ ସହ ନିୟମିତ ଯୋଗା ଯୋଗରେ ରହି ଆସୁଥିଲା । ସୂଚନା ଅନୁଯାୟୀ ନିଯୁକ୍ତି ଦେବା ଦାୟିତ୍ୱରେ ଥିବା ରାକେଟ୍ ପ୍ରାର୍ଥୀ ମାନଙ୍କୁ ପରୀକ୍ଷା ଅଭ୍ୟାସ ବାହାନାରେ ହାଇଦ୍ରାବାଦ ନେଇଥିଲା । ଯେଉଁଠାରେ ପରୀକ୍ଷା ପରିଚାଳନା ସମେତ ଅଗ୍ରୀମ ପ୍ରଶ୍ନପତ୍ର ଦେବାର ଯୋଜନା କରାଯାଇ ଥିଲା। ଏପରିକି ହାଇଦ୍ରାବାଦରେ ଗୋଟିଏ ଏକମହଲା କୋଠା ଭଡାରେ ନିଆଯାଇଥିଲା। ବିଶ୍ବସ୍ତ ସୂତ୍ରାନୁଯାୟୀ ସମସ୍ତ କାର୍ଯ୍ଯ ବେଳେ ବ୍ୟବହୃତ ନେଟୱାର୍କ ଘଟଣାର ପର୍ଦ୍ଦାଫାସ କରିଥିଲା। ତଦନୁଯାୟୀ ବ୍ରହ୍ମପୁର ପୋଲିସ ଗୋଲନ୍ଥରାରେ ଆନ୍ଧ୍ର ପ୍ରଦେଶ ସୀମା ନିକଟରେ ତିନୋଟି ଏସି ସ୍ଲିପର ବସ୍ ଅଟକାଇଥିଲା । ସମସ୍ତ ବସ୍‌ରେ ଭୁବନେଶ୍ୱର ଏବଂ ବରମୁଣ୍ଡାରୁ ଆସିଥିବା ପ୍ରାର୍ଥୀମାନେ ଥିଲେ ଏବଂ ତିନି ଜଣ ମଧ୍ୟସ୍ଥି (ଏଜେଣ୍ଟ/ଦଲାଲ) ସେମାନଙ୍କୁ ବିଜୟନଗରମ୍ ନେଇ ଯାଉଥିଲେ । ଯୋଜନା ଥିଲା ବିଜୟନଗରମରେ ଗୋପନୀୟ ପ୍ରଶ୍ନପତ୍ର ବେଆଇନ ଭାବରେ ହାସଲ କରି ଭୁବନେଶ୍ୱର ଫେରିଯିବା, ଯେଉଁଠାରେ ପ୍ରାର୍ଥୀମାନଙ୍କୁ ପରୀକ୍ଷାରେ ସହାୟତା କରାଯିବ ।ପ୍ରତ୍ୟେକ ଆଶାୟୀ ପୂର୍ବରୁ ୧୦ ଲକ୍ଷ ଦେବାକୁ ରାଜି ହୋଇଥିଲେ ଏବଂ ଚାକିରି ପାଇବା ପରେ ଅତିରିକ୍ତ ୧୫ ଲକ୍ଷ ଦେବାକୁ ରାଜି ହୋଇଥିଲେ ବୋଲି ଅଭିଯୋଗ ହୋଇଛି। ପୋଲିସ ବିଭାଗର ଗୁରୁତ୍ବପୂର୍ଣ୍ଣ ଏସ୍ଆଇ ପଦବୀ ନିଯୁକ୍ତି ପାଇଁ ମୋଟା ଅଙ୍କର ଅର୍ଥ କଳେଙ୍କାରୀ ମଧ୍ଯରେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ, ଓଡିଶା ପୋଲିସ ଷ୍ଟେଟ୍ ସିଲେକ୍ସନ ବୋର୍ଡ ଭଳି ଏକାଧିକ ବିଭାଗ ବିରୋଧରେ ଏହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ପୋଲିସ ବିଭାଗର ସ୍ବଛତାରେ ନିଯୁକ୍ତି ନେଇ ସୃଷ୍ଟି ହୋଇଥିବା ଏହି କଳଙ୍କିତ ଅଧ୍ୟାୟର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କରିବା ପାଇଁ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ଶୁଣିବାକୁ ମିଳୁଛି । ନିଯୁକ୍ତିରେ ଉତ୍କୋଚ କାରବାର ହେବା ଘଟଣା ଓଡ଼ିଶା ପୋଲିସ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବୋଲି ବୁଦ୍ଧିଜୀବୀ ମହଲରେ ବେଶ୍ ଚର୍ଚ୍ଚା ହେଉଛି। ନୁଆପଡାରୁ ଲୋକନାଥ ମହାପାତ୍ରଙ୍କ ରିପୋର୍ଟ ପ୍ରୟାସ ଓଡ଼ିଶା ନ୍ୟୁଜ୍

Related Post