Breaking News
ବାଣିଜ୍ୟ

ବଦଳୁଛି ଅର୍ଥ ଦେଣନେଣର ଦୃଶ୍ୟପଟ: ପ୍ରତି ୧୦୦ରେ ୭୪ ଟଙ୍କାର ଡିଜିଟାଲ୍‌ ପେମେଣ୍ଟ୍‌

ବଦଳୁଛି ଅର୍ଥ ଦେଣନେଣର ଦୃଶ୍ୟପଟ: ପ୍ରତି ୧୦୦ରେ ୭୪ ଟଙ୍କାର ଡିଜିଟାଲ୍‌ ପେମେଣ୍ଟ୍‌

ମୁମ୍ବାଇ: ଦେଶର ସହରାଞ୍ଚଳଗୁଡ଼ିକରେ ‌ଦୈନନ୍ଦିନ କିଣାକିଣି ସମୟରେ ଅଧିକରୁ ଅଧିକ ଅର୍ଥ ନଗଦ ବଦଳରେ ଡିଜିଟାଲ୍‌ ଆକାରରେ ପୈଠ କରାଯାଉଛି। ଦେଶର ୨୯ଟି ବଡ଼ ସହରରେ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି ଯେ  ୧୦୦ ଟଙ୍କାର ଖର୍ଚ୍ଚରେ ୭୪ ଟଙ୍କା ଡିଜିଟାଲ୍‌ ଜରିଆରେ ପୈଠ ହେଉଛି। ମୁମ୍ବାଇଭିତ୍ତିକ ସଂସ୍ଥା ‘ନିଓଗ୍ରୋଥ୍‌’ ନିଓଇନ୍‌ସାଇଟ୍‌ସ ଅନୁଧ୍ୟାନର ନବମ ସଂସ୍କରଣରେ ଭାରତ କିପରି ପୈଠ କରେ ବା ‘ହାଓ ଇଣ୍ଡିଆ ପେଜ୍‌’ରୁ ଜଣାଯାଇଛି ଯେ କିଣାକିଣି ସମୟରେ ଗ୍ରାହକଙ୍କ ଅର୍ଥ ପୈଠ ବ୍ୟବହାରରେ ବଡ଼ ପରିବର୍ତ୍ତନ ଆସିଛି। ଦୁଇବର୍ଷ ପୂର୍ବେ ଏସବୁ ସହରରେ ୪୫ ପ୍ରତିଶତ ଅର୍ଥ ଡିଜିଟାଲ୍‌ ଜରିଆରେ‌ ପୈଠ ହେଉଥିଲା। କିନ୍ତୁ ବର୍ତ୍ତମାନ ଏହା ୭୪ ପ୍ରତିଶତରେ ପହଞ୍ଚିଛି। ଡିଜିଟାଲ୍‌ ରିଟେଲ୍‌ କାରବାର ମୁଖ୍ୟତଃ ୟୁପିଆଇ, କ୍ରେଡିଟ୍ କାର୍ଡ ଏବଂ ଡେବିଟ୍‌ କାର୍ଡ ଜରିଆରେ ହେଉଛି। ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚ ସମୟରେ ଡିଜିଟାଲ୍‌ ପେମେଣ୍ଟ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟି ଯାଇଛି। ଦେଶରେ ଡିଜିଟାଲ୍‌ ପେମେଣ୍ଟ୍‌ ବଢ଼ିବାରେ ଲାଗିଛି ବୋଲି ରିପୋର୍ଟରେ କୁହାଯାଇଛି। ଅନୁଧ୍ୟାନରୁ ଜଣାଯାଇଛି ଯେ ଦେଶରେ ଡିଜିଟାଲ୍‌ ପେମେଣ୍ଟ ଅଭ୍ୟାସ ଲୋକଙ୍କ ଦୈନନ୍ଦିନ ଜୀବନ ସହ ଯୋଡ଼ି ହୋଇଯାଇଛି। ପର୍ସନାଲ ଗ୍ରୁମିଂ ବା ବ୍ୟକ୍ତିଗତ ସୌନ୍ଦର୍ଯ୍ୟ ରକ୍ଷା ପାଇଁ ଲୋକମାନେ କରୁଥିବା ଖର୍ଚ୍ଚର ୮୩ ପ୍ରତିଶତ ଡିଜିଟାଲ୍‌ ମାଧ୍ୟମରେ ପୈଠ କରୁଛନ୍ତି। ଗ୍ରୋସରି ସାମଗ୍ରୀ କିଣିକିଣି କରିବା ସମୟରେ ୬୮ ପ୍ରତିଶତ, ଗାଡ଼ି ରକ୍ଷଣାବେକ୍ଷଣ ସମୟରେ ୮୦ ପ୍ରତିଶତ, ଇନ୍ଧନ ପକାଇବା କ୍ଷେତ୍ରରେ ୬୩ ପ୍ରତିଶତ ଡିଜିଟାଲ୍‌ କାରବାର ହେଉଛି। ଶୀର୍ଷ ସହରଗୁଡ଼ିକ ମଧ୍ୟରେ ହାଇଦ୍ରାବାଦରେ ଡିଜିଟାଲ୍‌ କାରବାର ୮୨ ପ୍ରତିଶତ ଥିବାବେଳେ ବେଙ୍ଗାଲୁରୁରେ ୭୯ ପ୍ରତିଶତ, ପୁଣେରେ ୭୯ ପ୍ରତିଶତ ରହିଛି। ସେହିଭଳି ବିଶାଖାପାଟନମ୍‌ରେ ୭୬ ପ୍ରତିଶତ, ନାଗପୁରରେ ୭୧ ପ୍ରତିଶତ ଏବଂ ଚଣ୍ଡୀଗଡ଼ରେ ୬୮ ପ୍ରତିଶତ ଡିଜିଟାଲ୍‌ ପେମେଣ୍ଟ୍‌ ହେଉଛି। ଅନ୍ୟପକ୍ଷରେ ଅହମଦାବାଦରେ ଏହି ହାର ଯଥାକ୍ରମେ ୬୦ ପ୍ରତିଶତ, ଜାମସେଦପୁରରେ ୫୪ ପ୍ରତିଶତ, ମଦୁରାଇରେ ୫୨ ପ୍ରତିଶତ ଏବଂ ରାଜକୋଟରେ ୪୮ ପ୍ରତିଶତ ଡିଜିଟାଲ୍‌ ପେମେଣ୍ଟ ହେଉଛି। ଅର୍ଥାତ ଏସବୁ ସହରରେ ଲୋକମାନେ ନଗଦ ଟଙ୍କାରେ କିଣାକିଣି କରିବାକୁ ଅଧିକ ପସନ୍ଦ କରୁଛନ୍ତି। ସୁବିଧା ନଥିବା କାରଣରୁ ନୁହେଁ, ବରଂ ଲୋକଙ୍କ ବ୍ୟବହାର କାରଣରୁ ଡିଜିଟାଲ୍‌ ପେମେଣ୍ଟ୍‌ ହାର କମ୍‌ ରହିଛି। ଉକ୍ତ ସର୍ଭେରେ ‌୨୧ ହଜାର ‌ଛୋଟବଡ଼ ଦୋକାନୀଙ୍କୁ ସାମିଲ କରାଯାଇଥିଲା।

Related Post