Breaking News
ଖେଳ

ଦ୍ବିତୀୟ ଦିନ ୱିକେଟ୍‌ ଝଡ଼: ସିରାଜ-ପ୍ରସିଦ୍ଧଙ୍କୁ ୮ ୱିକେଟ୍‌

ଦ୍ବିତୀୟ ଦିନ ୱିକେଟ୍‌ ଝଡ଼: ସିରାଜ-ପ୍ରସିଦ୍ଧଙ୍କୁ ୮ ୱିକେଟ୍‌

ଲଣ୍ଡନ୍‌: କେନିଙ୍ଗଟନ୍‌ ଓଭାଲରେ ଚାଲିଥିବା ଭାରତ-ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍‌ର ଦ୍ବିତୀୟ ଦିନରେ ୱିକେଟ୍‌ ଝଡ଼ (୧୫) ଭିତରେ ଉଭୟ ଦଳର ପ୍ରଥମ ପାଳି ଶେଷ ହୋଇଛି। ବିସ୍ଫୋରକ ଆରମ୍ଭ କରିଥିବା ଘରୋଇ ଦଳ ପ୍ରଥମ ପାଳିରେ ୨୩ ରନ୍‌ ଅଗ୍ରଣୀ ବି ନେଇଯାଇଛି। ଭାରତର ୨୨୪ ରନ୍ ଜବାବରେ ଓଲି ପୋପ୍‌ଙ୍କ ଦଳ ୨୪୭ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇଛି। ଦ୍ବିତୀୟ ଦିବସରେ ଶେଷ ବେଳକୁ ଭାରତ ଦ୍ବିତୀୟ ପାଳିରେ ୨ ୱିକେଟ୍‌ ହରାଇ ୭୫ ରନ୍‌ କରିଛି। ରାହୁଲ (୭), ସୁଦର୍ଶନ (୧୧) ଆଉଟ୍‌ ହୋଇଥିବାବେଳେ ଜୟସ୍ବାଲ୍‌ (୫୧*) ଓ ଆକାଶ ଦୀପ (୪*) ବ୍ୟାଟିଂ କରୁଥିଲେ। ଗସ୍ ଆଟ୍‌କିନ୍‌ସନ୍‌ଙ୍କ ପାଞ୍ଚ ୱିକେଟ୍‌ ସଫଳତା କାରଣରୁ ଭାରତ ପାଳି ୨୨୪ ରନ୍‌ରେ ଅଟକିଯିବା ପରେ ଇଂଲଣ୍ଡ ବାଜ୍‌ବଲ୍‌ ଷ୍ଟାଇଲ୍‌କୁ ଆପଣାଇଥିଲା। ପ୍ରାରମ୍ଭିକ ଯୋଡ଼ି ଜ୍ୟାକ୍ କ୍ରଲି ଏବଂ ବେନ୍‌ ଡକେଟ୍‌ଙ୍କ ଆକ୍ରମଣାତ୍ମକ ବ୍ୟାଟିଂ କାରଣରୁ ଘରୋଇ ଦଳ ମାତ୍ର ୧୪.୪ ଓଭରରେ ୧୦୦ ରନ୍ ପୂରଣ କରିଥିଲ‌ା। ଆକାଶ ଦୀପଙ୍କୁ ରିଭର୍ସ ଖେଳିବାକୁ ଯାଇ ବେନ୍ ଡକେଟ୍‌ (୪୩) ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଜୁରେଲ ନେଇଥିଲେ କ୍ୟାଚ୍‌। କ୍ରଲି (୬୪, ୫୭ ବଲ୍‌) ଓ ହ୍ୟାରି ବ୍ରୁକ୍ (୫୩, ୬୪ ବଲ୍‌) ଅର୍ଦ୍ଧଶତକ ହାସଲ କରିଥିବାବେଳେ ଓଲି ପୋପ୍ ଓ ଜୋ ରୁଟ୍‌ ଛୋଟ ଛୋଟ ପାଳି ଖେଳିଥିଲେ ମଧ୍ୟ ଦଳକୁ ଅଗ୍ରଣୀ ଦେବାରେ ସହଯୋଗ କରିଛନ୍ତି। ଇଂଲଣ୍ଡର ଶୀର୍ଷ ୪ ବ୍ୟାଟର୍‌ ପୋପ୍‌, ରୁଟ୍‌, ବେଥେଲ୍‌ ଓ ବ୍ରୁକ୍‌ଙ୍କୁ ଆଉଟ୍ କରି ମହମ୍ମଦ ସିରାଜ (୪/୮୬) ଏବଂ କ୍ରଲି, ସ୍ମିଥ, ଓଭରଟନ୍‌ ଓ ଆଟ୍‌କିନ୍‌ସନ୍‌ଙ୍କ ୱିକେଟ୍‌ ନେଇ ପ୍ରସିଦ୍ଧ କ୍ରିଷ୍ଣ (୪/୬୨) ଭାରତକୁ ଚମତ୍କାର ପ୍ରତ୍ୟାବର୍ତ୍ତନ କରାଇଛନ୍ତି। ଆହତ କ୍ରିସ୍ ଓକ୍ସ ବ୍ୟାଟିଂ ପାଇଁ ନ ଆସିବାରୁ ଇଂଲଣ୍ଡ ୨୪୭/୯ରେ ହିଁ ସୀମିତ ରହିଯାଇଥିଲା।

Related Post