Breaking News
ଖେଳ

ଅବସର ନେଲେ ବେଦା କୃଷ୍ଣମୂର୍ତ୍ତି

ଅବସର ନେଲେ ବେଦା କୃଷ୍ଣମୂର୍ତ୍ତି

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟର୍‌ ବେଦା କୃଷ୍ଣମୂର୍ତ୍ତି ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ୩୨ ବର୍ଷୀୟା ବେଦା ୧୦ ବର୍ଷର ଖେଳ ଜୀବନରେ ବିରାମ ଲଗାଇଥିଲା ବେଳେ କ୍ରିକେଟ୍‌ ସହିତ ଜଡ଼ିତ ରହିବେ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ପୋଷ୍ଟ୍ କରି ସେ ନିଜ ଅବସର ବିଷୟରେ ସୂଚନା ଦେଇଛନ୍ତି। ‘ଏକ ଛୋଟ ସହରର ଝିଅର ସ୍ବପ୍ନ ଥିଲା ଭାରତୀୟ ଜର୍ସି ପିନ୍ଧିବା। ଏହା ପୂରଣ ହୋଇଥିବାରୁ ଗର୍ବିତ। କ୍ରିକେଟ୍‌ ମୋତେ ସବୁକିଛି ଦେଇଛି। ଏବେ ଖେଳାଳି ଜୀବନକୁ ଗୁଡ୍‌ବାଏ କରୁଛି, ହେଲେ ଖେଳକୁ ନୁହେଁ। ସର୍ବଦା ଭାରତ ଓ ଦଳ ପାଇଁ ରହିଛି’ ବୋଲି କୃଷ୍ଣମୂର୍ତ୍ତି ଲେଖିଛନ୍ତି। ଭାରତ ପକ୍ଷରୁ ମିଡିଲ୍‌ଅର୍ଡର ବ୍ୟାଟର୍‌ ‌ବେଦା ୪୮ ଦିନିକିଆ ଓ ୭୬ ଟ୍ବେଣ୍ଟି-୨୦ ଖେଳି ଯଥାକ୍ରମେ ୮୨୯ ଓ ୮୭୫ ରନ୍‌ କରିଛନ୍ତି। ଶେ‌ଷ ଥର ଲାଗି ୨୦୨୦ରେ ମେଲ୍‌ବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ଟ୍ବେଣ୍ଟି-୨୦ ଏବଂ ୨୦୧୮ରେ ଦିନିକିଆ ଖେଳିଥିଲେ। ୨୦୨୩ ଡବ୍‌ଲ୍ୟୁପିଏଲ୍‌ରେ ଗୁଜରାଟ ଜାଏଣ୍ଟସ୍‌ ପକ୍ଷରୁ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଖେଳିବା ଶେଷ ଘରୋଇ ମ୍ୟାଚ୍‌ ଥିଲା। ବେଦା ପୂର୍ବତନ କର୍ଣ୍ଣାଟକ କ୍ରିକେଟର୍‌ ଅର୍ଜୁନ ହୟଶାଳଙ୍କୁ ବିବାହ କରିଛନ୍ତି।

Related Post