Breaking News
ରାଜନୀତି

ଓଡ଼ିଶା ବନ୍ଦ ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

ଓଡ଼ିଶା ବନ୍ଦ ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

ଭୁବନେଶ୍ୱର: ଏଫ୍‌ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ବିଜେଡିର ବାଲେଶ୍ବର ବନ୍ଦ ଓ କଂଗ୍ରେସର ‘ଓଡ଼ିଶା ବନ୍ଦ’କୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦୁଇ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ବିରୋଧୀ ଦଳ ଭାବେ କଂଗ୍ରେସ ଓ ବିଜେଡିକୁ ଆନ୍ଦୋଳନ କରିବାର ସଂପୂର୍ଣ୍ଣ ଅଧିକାର ରହିଛି। ହେଲେ ବିଜେପି ସରକାରର ସୁଶାସନରେ ଅସହିଷ୍ଣୁ ହୋଇ ହୀନ ରାଜନୀତି କରିବା ଏବଂ ଅଗଣତାନ୍ତ୍ରିକ ଉପାୟରେ ବାତାବରଣ ନଷ୍ଟ କରିବା ଅନୁଚିତ। ଦୁଇ ବିରୋଧୀ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପୂର୍ବରୁ ନିଜ ଶାସନ କାଳର କାର୍ଯ୍ୟକଳାପକୁ ଆତ୍ମସମୀକ୍ଷା କରିବା ଉଚିତ ଥିଲା। କଂଗ୍ରେସ ନିଜର ୪୦ବର୍ଷର ଏବଂ ବିଜେଡି ୨୪ବର୍ଷର ଶାସନ କାଳରେ ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ସଶକ୍ତୀକରଣ ପାଇଁ କାର୍ଯ୍ୟ କରିଥିଲେ, ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥା’ନ୍ତା। ନାରୀ ସୁରକ୍ଷା ପ୍ରସଙ୍ଗରେ ଅଶାନ୍ତି ସୃଷ୍ଟି କରିବାକୁ କଂଗ୍ରେସ ଓ ବିଜେଡିର କୌଣସି ପ୍ରକାର ନୈତିକ ଅଧିକାର ନାହିଁ। ସେମାନଙ୍କ ଆଚରଣ ଓ ଉଚ୍ଚାରଣରୁ ଏହା ସ୍ପଷ୍ଟ ଯେ ବିରୋଧୀ ବିଜେଡି ଓ କଂଗ୍ରେସ ‘ଡାହାଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡ଼ୁଛନ୍ତି’। କେବଳ ନିଜର ଅସ୍ତିତ୍ୱ ବଜାୟ ରଖିବା ଓ ଖବରରେ ରହିବା ଦୁଇ ଦଳର ପ୍ରକୃତ ଉଦ୍ଦେଶ୍ୟ।ଏହା ସହ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ଓଡ଼ିଶାରେ ବାତାବରଣ ଅଶାନ୍ତ କରିବାକୁ ମହିଳା କଂଗ୍ରେସର ରାଷ୍ଟ୍ରୀୟ ସଭାନେତ୍ରୀ ଦିଲ୍ଲୀରୁ ଓଡ଼ିଶା ଆସିଛନ୍ତି। ହେଲେ ସେ ଜାଣିବା ଦରକାର ମହିଳାଙ୍କ ସୁରକ୍ଷା ଆମ ସରକାରର ଦାୟିତ୍ୱ ଓ ପ୍ରାଥମିକତା। ଏଫ୍‌ଏମ୍ କଲେଜ ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗମ୍ଭୀରତାର ସହ ନେଇ କଠୋର ପଦକ୍ଷେପ ନେଇଛନ୍ତି। ସରକାରଙ୍କ ନଜରକୁ ଏହି ଘଟଣାକୁ ଆସିବା ପରେ ଯଥାସମ୍ଭବ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ପୀଡ଼ିତା ଓ ତାଙ୍କ ପରିବାର ସହ ସରକାର ରହିଆସିଛନ୍ତି। ଏହି ଘଟଣାରେ ଯେଉଁମାନଙ୍କ ସଂପୃକ୍ତି ଜଣାପଡ଼ିବ ସେମାନଙ୍କୁ ଛଡ଼ାଯିବନି। ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ସେହିପରି ଗତକାଲି ମୃତା ଛାତ୍ରୀଙ୍କ ଭାଇ ଭୋଗରାଇ ଥାନାରେ ଏକ ଏଫ୍‌ଆଇଆର୍ ଦେଇଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି, କଂଗ୍ରେସ ଓ ବିଜେଡିର କର୍ମୀମାନଙ୍କ ପାଇଁ ତାଙ୍କ ପରିବାର ସଦସ୍ୟ ଅସୁରକ୍ଷିତ ମନେ କରୁଛନ୍ତି । ଉଭୟ ଦଳର କର୍ମୀ ଲଗାତାର ସେମାନଙ୍କୁ ହଇରାଣ କରୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଚିନ୍ତାଜନକ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ଓ ମୁଖପାତ୍ର ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।

Related Post