Breaking News
ବିଶେଷ

ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ: ‘ପିପିଲି ଚାନ୍ଦୁଆକୁ ବିଶ୍ୱ ବଜାର ସହ ଯୋଡ଼ିବା ଆମର ଲକ୍ଷ୍ୟ’

ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ: ‘ପିପିଲି ଚାନ୍ଦୁଆକୁ ବିଶ୍ୱ ବଜାର ସହ ଯୋଡ଼ିବା ଆମର ଲକ୍ଷ୍ୟ’

ପିପିଲି: ପିପିଲି ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ମୌଜାରେ ୫ ଏକରରୁ ଅଧିକ ଜମି ଉପରେ ତିଆରି ହେବ ଅତ୍ୟାଧୁନିକ ‘ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍’। ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରାୟ ୮୦ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ଏହି ଅବସରରେ  ମୁଖ୍ୟମନ୍ତ୍ରୀ କହିଛନ୍ତି, ପିପିଲି ଚାନ୍ଦୁଆ କେବଳ ଏକ ହସ୍ତଶିଳ୍ପ ନୁହେଁ, ଏହା ଓଡ଼ିଆ ଜାତିର ସ୍ୱାଭିମାନ ଓ ‘ଓଡ଼ିଆ ଅସ୍ମିତା’ର ପରିଚୟ। ଏହି କଳା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ରଥଯାତ୍ରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।ପିପିଲିବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ପ୍ରକଳ୍ପ ଦ୍ୱାରା ପିପିଲି ଓ ଆଖପାଖ ଅଞ୍ଚଳର ୬ ହଜାରରୁ ଅଧିକ କାରିଗର ଉପକୃତ ହେବେ। କାରିଗରମାନଙ୍କୁ ସୁଲଭ ମୂଲ୍ୟରେ କଞ୍ଚାମାଲ ଯୋଗାଇବା ପାଇଁ ଏଠାରେ ଏକ ‘ର ମ୍ୟାଟେରିଆଲ୍‌ ବ୍ୟାଙ୍କ’ ସ୍ଥାପନ କରାଯିବ। ଏହାସହ ଇ-କମର୍ସ ଯୁଗକୁ ଲକ୍ଷ୍ୟ କରି କାରିଗର, ବିଶେଷ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ଓ ଭଉଣୀମାନଙ୍କୁ ଡିଜିଟାଲ୍ ମାର୍କେଟିଂ ଏବଂ ପ୍ୟାକେଜିଂର ପ୍ରଶିକ୍ଷଣ ଦିଆଯାଇ ସଶକ୍ତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭୋକାଲ ଫର ଲୋକାଲ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ପିପିଲି ଚାନ୍ଦୁଆକୁ ବିଶ୍ୱ ବଜାର ସହ ଯୋଡ଼ିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଚାନ୍ଦୁଆ ଶିଳ୍ପୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସମ୍ମାନିତ କରିଥିଲେ।

Related Post